କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଗୁରୁତ୍ୱପୂର୍ଣ୍ଣ ଭୋଟିଂ ପ୍ରକ୍ରିୟା ଚାଲିଛି। ପଞ୍ଚାୟତର ମୋଟ ୨୨ ଜଣ ୱାର୍ଡ ସଭ୍ୟସଭ୍ୟାଙ୍କ ମଧ୍ୟରୁ ୨୧ ଜଣ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଆଜିର ଏହି ଭୋଟ୍‌ ଉପରେ ସାରା ଅଞ୍ଚଳବାସୀଙ୍କ ନଜର ରହିଛି। ତେବେ ଭୋଟିଂ ପ୍ରକ୍ରିୟା ଶେଷ ହେବା ପରେ ମଧ୍ୟ ଫଳାଫଳ ତୁରନ୍ତ ଘୋଷଣା ହୋଇପାରିବ ନାହିଁ, କାରଣ ଓଡ଼ିଶା ହାଇକୋର୍ଟ ଫଳାଫଳ ପ୍ରକାଶ ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି।

ସୂଚନା ଅନୁଯାୟୀ, ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ କାର୍ଯ୍ୟଶୈଳୀ ଓ ବିବାଦୀୟ ପରିସ୍ଥିତିକୁ ନେଇ ପଞ୍ଚାୟତର ୨୧ ଜଣ ୱାର୍ଡ ସଦସ୍ୟ ଏକତ୍ରିତ ହୋଇ ଉପ-ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଥିଲେ।ସ୍ୱାକ୍ଷର ଯାଞ୍ଚ ପରେ ନିର୍ବାଚନ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୋଟିଂ ପ୍ରକ୍ରିୟା ଆୟୋଜିତ ହୋଇଛି। ଭୋଟ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନାସ୍ଥା ପ୍ରସ୍ତାବ ନୋଟିସରେ ନିୟମାବଳୀର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି ସରପଞ୍ଚ ଚାମେଲି ଓଝା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନର ଶୁଣାଣି କରି ହାଇକୋର୍ଟ ଅନାସ୍ଥା ଭୋଟିଂ ପ୍ରକ୍ରିୟା ଜାରି ରଖିବାକୁ ଅନୁମତି ଦେଇଥିଲେ ହେଁ, ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ କିମ୍ବା ରାୟ ପ୍ରକାଶ ପର୍ଯ୍ୟନ୍ତ ଭୋଟ ଫଳାଫଳ ଘୋଷଣା ନକରିବାକୁ ପ୍ରଶାସନକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ସକାଳୁ ହିଁ ଗହଳି ଚହଳି ଓ ବ୍ୟାପକ ଉତ୍ସୁକତା ଦେଖିବାକୁ ମିଳିଛି। ଆଜିର ଏହି ଅନାସ୍ଥା ଭୋଟିଂ ତିଖିରୀ ଗ୍ରାମ ପଞ୍ଚାୟତର ଆଗାମୀ ରାଜନୈତିକ ଭବିଷ୍ୟତ ଓ ନେତୃତ୍ୱ ଚିତ୍ରକୁ ବଦଳାଇବ କି ନାହିଁ, ନା ଚାମେଲି ଓଝା ନିଜ ପଦବୀ ବଜାୟ ରଖିବାରେ ସଫଳ ହେବେ, ତାହା କୋର୍ଟଙ୍କ ଆଗାମୀ ନିର୍ଦ୍ଦେଶ ପରେ ହିଁ ସ୍ପଷ୍ଟ ହେବ।