ମସ୍କୋ: ରୁଷ୍ର ପୂର୍ବାଞ୍ଚଳ ଆମୁର ଅଞ୍ଚଳରେ ଥିବା ଆମୁର ଗ୍ୟାସ୍ କେମିକାଲ୍ କମ୍ପ୍ଲେକ୍ସ (ଏଜିସିସି)ରେ ମଙ୍ଗଳବାର ବଡ଼ଧରଣର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ ଚୀନ୍ ନାଗରିକ ଥିବା ଜଣାପଡ଼ିଛି।
ରଏଟର୍ସ ରିପୋର୍ଟ ଅନୁଯାୟୀ, ଘଟଣାରେ ୧୫୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପରେ କାରଖାନାର ବିଭିନ୍ନ ଅଂଶରୁ ପ୍ରବଳ ଅଗ୍ନିଶିଖା ସହ ଘନ କଳା ଧୂଆଁ ଉଠୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଏଜିସିସି ରୁଷ୍ର ପେଟ୍ରୋକେମିକାଲ୍ କମ୍ପାନି ସିବୁର୍ ଏବଂ ଚୀନ୍ର ସରକାରୀ ତୈଳ ଓ ଗ୍ୟାସ୍ କମ୍ପାନି ସିନୋପେକ୍ର ମିଳିତ ପ୍ରକଳ୍ପ। କାରଖାନାର ଉଦ୍ଘାଟନ ଖୁବ୍ଶୀଘ୍ର ହେବାର ଥିବାବେଳେ ବର୍ତ୍ତମାନ ପ୍ରି-କମିସନିଂ କାର୍ଯ୍ୟ ଚାଲିଥିଲା।
ପ୍ରକଳ୍ପ ନିର୍ମାଣର ଶୀର୍ଷ ସମୟରେ ପ୍ରାୟ ୩୦ ହଜାର ନିର୍ମାଣ ଶ୍ରମିକ ଏଠାରେ କାମ କରୁଥିଲେ। ପ୍ରାୟ ୧୦ ବିଲିୟନ୍ ଡଲାର ମୂଲ୍ୟର ଏହି ପ୍ରକଳ୍ପ ଭବିଷ୍ୟତରେ ବିଶ୍ୱର ସବୁଠାରୁ ବଡ଼ ପଲିଏଥିଲିନ୍ ଓ ପଲିପ୍ରୋପିଲିନ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ହେବାକୁ ଯୋଜନା କରାଯାଇଛି।
ଘଟଣା ପରେ ରୁଷ୍ର ତଦନ୍ତକାରୀ କମିଟି ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଆରମ୍ଭ କରିଛି।




