ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୃଥକ ପୃଥକ ସର୍ପାଘାତ ଘଟଣାରେ ୨ ଜଣ ଯୁବକଙ୍କର ଅକାଳ ମୃତ୍ୟୁ ଘଟିଛି। ଗୋଟିଏ ରାତିରେ ଦୁଇ ଦୁଇଟି ଜୀବନ ଯିବା ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ମୃତକମାନେ ହେଲେ ଝରିଗାଁ ବ୍ଲକ୍ ବଡ଼ତେମେରା ପଞ୍ଚାୟତ ଜାବାଗୁଡ଼ା ଗ୍ରାମର ସାପୁରା ସାନ୍ତା (୩୮) ଏବଂ ଭାଲୁକାନଦୀ ପଞ୍ଚାୟତ ମଙ୍ଗଳୀଗୁଡ଼ା ଗ୍ରାମର ଚୈତନ୍ୟ ଗୌଡ଼ (୩୫)।

ସୂଚନା ଅନୁଯାୟୀ, ଜାବାଗୁଡ଼ା ଗ୍ରାମର ସାପୁରା ସାନ୍ତା ରାତିରେ ଖାଇସାରି ଘର ଭିତରେ ଖଟିଆରେ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସେ ତୁରନ୍ତ ପରିବାର ଲୋକଙ୍କୁ ଜଣାଇବାରୁ ତାଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା, ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟ ଏକ ଘଟଣାରେ, ମଙ୍ଗଳୀଗୁଡ଼ା ଗ୍ରାମର ଚୈତନ୍ୟ ଗୌଡ଼ ମଧ୍ୟ ରାତ୍ରିଭୋଜନ ପରେ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ସେ ପରିଶ୍ରା କରିବା ପାଇଁ ଘର ପଛପଟକୁ ଯାଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ ଦଂଶନ କରିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଝରିଗାଁ ଓ ପରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବର୍ଷା ଦିନେ ବଢ଼ୁଛି ସର୍ପାଘାତ ଭୟ

ବର୍ଷା ଦିନେ ଗ୍ରାମାଞ୍ଚଳରେ ଲଗାତାର ସର୍ପାଘାତ ଘଟଣା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା ବୃଦ୍ଧି ପାଇଛି। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବକ୍ତବ୍ୟ ପ୍ରକାଶ ପାଇନାହିଁ।