ବୌଦ୍ଧ: ସାପ କାମୁଡ଼ିବା କିମ୍ବା ସାପ ବାହାରିବା କଥା ଆପଣ ଅନେକ ଶୁଣିଥିବେ, ହେଲେ ଏକ ବିଷଧର ସାପ ଜଣେ ଅସହାୟ ରୋଗୀଙ୍କୁ ପ୍ରାୟ ୨ ଘଣ୍ଟା କାଳ ବାନ୍ଧି ରଖିବା ଭଳି ଏକ ଅଭାବନୀୟ ଓ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଡ଼େଣିଗଡ଼ ଗାଁରେ ଜଣେ ପକ୍ଷାଘାତ ରୋଗୀଙ୍କ ସହ ଘଟିଛି ଏଭଳି ଏକ ଶିହରଣକାରୀ ଘଟଣା।ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଆଡ଼େଣିଗଡ଼ ଗାଁର କୃଷ୍ଣ ଚନ୍ଦ୍ର ସାହୁ ନାମକ ଜଣେ ପକ୍ଷାଘାତ ରୋଗୀ ନିଜ ଘରେ ଶୋଇଥିଲେ।

ଗରମ ଯୋଗୁଁ ଘରର ଜେନାଲାଟି ଖୋଲା ରହିଥିଲା। ଏହି ସମୟରେ ଏକ ବିଷଧର ସାପ ଝରକା ବାଟେ ଭିତରକୁ ପଶି ଆସି କୃଷ୍ଣଙ୍କ ଶରୀର ଉପରକୁ ଚଢ଼ି ଯାଇଥିଲା। ଶାରୀରିକ ଅକ୍ଷମତା ଯୋଗୁଁ କୃଷ୍ଣ ନା ସେଠାରୁ ଘୁଞ୍ଚି ପାରୁଥିଲେ, ନା ପାଟି କରି କାହାକୁ ସାହାଯ୍ୟ ପାଇଁ ଡାକି ପାରୁଥିଲେ। ସେ ସେମିତି ନିଶ୍ଚଳ ହୋଇ ପଡ଼ିରହିଥିବା ବେଳେ ସାପଟି ତାଙ୍କ ହାତକୁ ଏକ ଚେୟାର ସହିତ ଜୋରଦାର ଗୁଡ଼େଇ ହୋଇ ବାନ୍ଧି ପକାଇଥିଲା।

କୃଷ୍ଣ ଚେୟାର ସହ ସମ୍ପୂର୍ଣ୍ଣ ଭାବେ ବାନ୍ଧି ହୋଇଯିବା ପରେ କେବଳ କାନ୍ଦିବା ଓ ଆର୍ତ୍ତନାଦ କରିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା। ତାଙ୍କର ଏହି କ୍ଷୀଣ ସ୍ୱର ଶୁଣି ପରିବାର ଲୋକେ ଧାଇଁ ଆସିଥିଲେ। ହେଲେ ଘର ଭିତରର ଦୃଶ୍ୟ ଦେଖି ସମସ୍ତଙ୍କ ହୋସ୍ ଉଡ଼ିଯାଇଥିଲା। କୃଷ୍ଣଙ୍କ ହାତକୁ ସାପଟି ଏଭଳି ଭାବେ ଜାବୁଡ଼ି ଧରିଥିଲା ଯେ ପରିବାର ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ସାପଟି ଯେମିତି କାମୁଡ଼ି ନଦେବ, ସେଥିପାଇଁ ସେମାନେ ବହୁତ ସତର୍କତା ଅବଲମ୍ବନ କରିଥିଲେ।

ଦୀର୍ଘ ଦୁଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ଓ ବିକଳ ଚେଷ୍ଟା ପରେ, ପରିବାର ଲୋକେ ଅତି ସାବଧାନତାର ସହ କୃଷ୍ଣଙ୍କୁ ସେହି ବିଷଧର ସାପ କବଳରୁ ମୁକ୍ତ କରିବାରେ ସଫଳ ହୋଇଥିଲେ। ଏହାପରେ ସାପଟିକୁ କୌଣସି କ୍ଷତି ନପହଞ୍ଚାଇ ସୁରକ୍ଷିତ ଭାବେ ଘରୁ ବାହାରକୁ ଘଉଡ଼ାଇ ଦିଆଯାଇଥିଲା। ବର୍ତ୍ତମାନ କୃଷ୍ଣ ସୁରକ୍ଷିତ ଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।