ପୁରୀ/କଲକାତା: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) କୁ ଏକ ବଡ଼ ସଫଳତା ମିଳିଛି। ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଧମକଚମକ ଦେବା ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ର ବିଧାୟକ ଦିଲୀପ ମଣ୍ଡଳଙ୍କୁ ଓଡ଼ିଶାର ପୁରୀରୁ ଗିରଫ କରାଯାଇଛି। ସେ ଗତ କିଛି ସପ୍ତାହ ଧରି ପୋଲିସ ଆଖିରେ ଧୂଳି ଦେଇ ଲୁଚି ବୁଲୁଥିଲେ।
ଏହାପୂର୍ବରୁ ଗତ ମେ ୧୮ ତାରିଖରେ ବିଧାୟକଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ଏବଂ ଅନ୍ୟ ୫ ଜଣଙ୍କୁ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରୁ ବେଆଇନ ମାରଣାସ୍ତ୍ର ରଖିବା ଅଭିଯୋଗରେ ଗିରଫ କରାଯାଇଥିଲା। ଚଢ଼ାଉ ବେଳେ ପୋଲିସ ୨ଟି ପିସ୍ତଲ ଜବତ କରିଥିଲା। ଅର୍ଘ୍ୟ ସ୍ଥାନୀୟ ବିଜେପି କର୍ମୀଙ୍କୁ ଭୟଭୀତ କରୁଥିବା ନେଇ ଅଭିଯୋଗ ହୋଇଥିଲା।
ଗତ ମେ ୧୪ ତାରିଖରେ ବିଧାୟକ ଦିଲୀପ ମଣ୍ଡଳଙ୍କ ପୈଲାନସ୍ଥିତ ଦୁଇଟି ବାସଭବନରେ ପୋଲିସ ଚଢ଼ାଉ କରିଥିଲେ ମଧ୍ୟ ସେ ଫେରାର ହୋଇଯାଇଥିଲେ। ଶେଷରେ ମୋବାଇଲ୍ ଲୋକେସନ ଟ୍ରାକିଂ ଜରିଆରେ ପଶ୍ଚିମବଙ୍ଗ STF ପୁରୀର ଏକ ହୋଟେଲରୁ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫଦାରୀ ପରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ପଶ୍ଚିମବଙ୍ଗ ନିଆଯାଉଛି, ସେଠାରେ ତାଙ୍କୁ ରାଜନୈତିକ ହିଂସା ଏବଂ ବେଆଇନ ମାରଣାସ୍ତ୍ର କାରବାର ନେଟୱର୍କ ସମ୍ପର୍କରେ ଅଧିକ ପଚରାଉଚରା କରାଯିବ।




