କଟକ: ବାପା ମହମ୍ମଦ ମୋକିମଙ୍କ ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ଏବେ ସୋଫିଆଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି। କଂଗ୍ରେସ ଟିକେଟରେ ଜିତି ବାପାଙ୍କ ଦଳୀୟ ମଞ୍ଚରେ ଉଦବୋଧନ ଦେବାକୁ ଦଳୀୟ ଶୃଙ୍ଖଳା ଭଙ୍ଗ ବୋଲି ଦର୍ଶାଇଛି କଂଗ୍ରେସ।

ତେବେ ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ଯିବା ଏବଂ ବାପାଙ୍କ ଦଳର ମଞ୍ଚରେ ସିଧାସଳଖ ଯୋଗଦେଇ ସେ ଆଉ କଂଗ୍ରେସ ସହ ନାହାନ୍ତି ବୋଲି ସଙ୍କେତ ଦେବା ଭଳି ଅଭିଯୋଗ ଆଣିଛି କଂଗ୍ରେସ କମିଟି।

ବିବାଦ ଘନେଇବା ପରେ ସୋଫିଆ ନିଜର ସଫେଇ ରଖିଛନ୍ତି। ତାଙ୍କ କହିବା ଅନୁସାରେ ଦଳ ତାଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡାକୁନଥିବାରୁ ସେ ଅଲଗା ହୋଇ ରହିଛନ୍ତି। ବାପାଙ୍କ ନିମନ୍ତ୍ରଣ ରକ୍ଷା କରି ସେ କେବଳ ଜଣେ ଅତିଥି ଭାବେ ସେଠାକୁ ଯାଇଥିଲେ।ପିସିସି ସଭାପତି ମଧ୍ୟ ଅନ୍ୟ ଦଳର ନେତାଙ୍କ ସହ ମଞ୍ଚ ସେୟାର କରୁଛନ୍ତି, ତେଣୁ କେବଳ ତାଙ୍କୁ ଟାର୍ଗେଟ୍ କରାଯିବା ଯୁକ୍ତିହୀନ।

ଜଣେ ଯୁବ ନେତ୍ରୀ ଭାବେ ଉଜ୍ଜ୍ୱଳ କ୍ୟାରିୟର ଆରମ୍ଭ କରିଥିବା ସୋଫିଆଙ୍କ ପାଇଁ ଏହା ଏକ ବଡ଼ ପରୀକ୍ଷା। ବାପାଙ୍କ ପ୍ରତି ଭାବପ୍ରବଣତା ଓ ନୂଆ ଦଳ ପାଇଁ ସେ ନିଜର ବିଧାୟିକା ପଦକୁ ବାଜି ଲଗାଇ ଦେଇଛନ୍ତି କି ବୋଲି ସମର୍ଥକମାନେ ଆଶଙ୍କା ପ୍ରକାଶ କରିଛନ୍ତି।କଂଗ୍ରେସର ବରିଷ୍ଠ ନେତାମାନେ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି। ଏବେ ବାଚସ୍ପତିଙ୍କ ନିଷ୍ପତ୍ତି ହିଁ ସ୍ପଷ୍ଟ କରିବ — ସୋଫିଆ ନିଜ ପଦ ବଞ୍ଚାଇ ପାରିବେ ନା ବାପାଙ୍କ ନୂଆ ରାଜନୈତିକ ପରୀକ୍ଷାଗାରର ପ୍ରଥମ ଶିକାର ହେବେ?