ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଭୟାବହ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ଲୁଣା ନଦୀ ବନ୍ଧରୁ ଜଣେ ଅଜଣା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ ହତ୍ୟା କରାଯାଇ ମୁଣ୍ଡ କାଟି ଦିଆଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, କୁଡ଼ାନଗରୀ ଥାନା ଅନ୍ତର୍ଗତ ମହାକୂଳ ଗ୍ରାମ ନିକଟସ୍ଥ ଲୁଣା ନଦୀ ବନ୍ଧରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ପଡ଼ିଥିବା ଗ୍ରାମବାସୀ ପ୍ରଥମେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ସ୍ଥାନୀୟ କୁଡ଼ାନଗରୀ ପୁଲିସକୁ ଖବର ଦେଇଥିଲେ।
ମୃତଦେହ ନିକଟରୁ ଯୋଡ଼ିଏ ଚପଲ ମିଳିଥିବା ବେଳେ ନଦୀ ବନ୍ଧରେ ରକ୍ତଚିହ୍ନ ଦେଖିବାକୁ ମିଳିଛି। ଘଟଣାସ୍ଥଳରୁ ମହିଳାଙ୍କ ଅନ୍ୟ କୌଣସି ପରିଚୟପତ୍ର କିମ୍ବା ବ୍ୟକ୍ତିଗତ ସାମଗ୍ରୀ ମିଳିନାହିଁ।
ଘଟଣାସ୍ଥଳର ସ୍ଥିତି ଓ ରକ୍ତଚିହ୍ନକୁ ଦେଖି ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଖବର ପାଇ କୁଡ଼ାନଗରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ କରିବା ଏବଂ ହତ୍ୟାକାଣ୍ଡର କାରଣ ଖୋଜିବା ପାଇଁ ପୁଲିସ ବିଭିନ୍ନ କୋଣରୁ ଅନୁସନ୍ଧାନ ଚଳାଇଛି।
ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏବଂ ମୃତକଙ୍କ ଆନୁଷଙ୍ଗିକ ତଥ୍ୟ ମିଳିବା ପରେ ଘଟଣାର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।




