ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଚାଲିଥିବା ଆନ୍ଦୋଳନ ଶେଷ କରିବା ସମୟରେ ହୋଇଥିବା ଚୁକ୍ତି ଅନୁଯାୟୀ ସରକାର ପ୍ରତିଶ୍ରୁତି ପୂରଣ କରିନଥିବା ଅଭିଯୋଗ ଆଣିଛି ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି)। ସରକାର ଦେଶର ଯୁବପିଢ଼ିଙ୍କ ବିଶ୍ୱାସ ଭଙ୍ଗ କରିଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି।
ସିଜେପିର ଅଭିଯୋଗ ଅନୁଯାୟୀ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପ୍ରତ୍ୟାହାର ପରେ ସରକାର ଦେଇଥିବା ପ୍ରତିଶ୍ରୁତିରୁ ଓହରିବାକୁ ଚେଷ୍ଟା କରୁଛନ୍ତି। ଏହା ଦେଶର ଯୁବବର୍ଗଙ୍କ ପ୍ରତି ଅପମାନ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ଏଫ୍ଆଇଆର୍ ପ୍ରତ୍ୟାହାର ନେଇ ପ୍ରଶ୍ନ
ଆନ୍ଦୋଳନକାରୀ ଛାତ୍ରମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ ରଦ୍ଦ କରିବା ପ୍ରସଙ୍ଗରେ କୋର୍ଟ ପକ୍ଷରୁ ବାରମ୍ବାର ତାଲିକା ମଗାଯାଇଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ ତାଲିକା ପ୍ରଦାନ କରିନଥିବା ସିଜେପି ଦାବି କରିଛି।
ଏନେଇ ସଂଗଠନର ସହ-ଆବାହକ ସୌରଭ ଦାସ ଏବଂ ଆଇନଗତ ପ୍ରତିନିଧି ରତ୍ନା ସିଂହ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ପ୍ରତିଶ୍ରୁତି ପୂରଣରେ ବିଳମ୍ବ କିମ୍ବା ଟାଳଟୁଳ ନୀତି ଅବଲମ୍ବନ କରାଯିବା ଯୁବବର୍ଗଙ୍କ ପ୍ରତି ବଡ଼ ‘ବିଶ୍ୱାସଘାତକତା’ ବୋଲି ସେମାନେ କହିଛନ୍ତି।
ଅଗଷ୍ଟ ୨୪ରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ସିଜେପି ପକ୍ଷରୁ ଅଗଷ୍ଟ ୨୪ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ପୁଣିଥରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ସଂଗଠନ ସମର୍ଥକ ଓ ଛାତ୍ରମାନଙ୍କୁ ଆହ୍ୱାନ ଦେଇଛି।
ଏହାସହ ନୀଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ସରକାରଙ୍କ ସହ କୌଣସି ଆଲୋଚନା ହୋଇନଥିବା ମଧ୍ୟ ସଂଗଠନ ଅଭିଯୋଗ କରିଛି।
ଜୁଲାଇ ୨୫ରେ ଆନ୍ଦୋଳନ ଶେଷ ହୋଇଥିଲେ ମଧ୍ୟ ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଗଠନ ଚୁପ୍ ରହିବ ନାହିଁ ବୋଲି ସିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଛି।




