ନୂଆଦିଲ୍ଲୀ, ୨୩/୦୯: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ନିର୍ବାଚନ କମିଶନ ଭିତରେ ମତଭେଦ ଥିବା ରିପୋର୍ଟ ମଧ୍ୟରେ ଫର୍ମ-୬ରେ କରାଯାଇଥିବା ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର (CEC) ଓପି ରାୱତ ଏହି ପରିବର୍ତ୍ତନକୁ ‘ଭୁଲ୍ ଓ ବେଆଇନ’ ବୋଲି କହିଛନ୍ତି। ତେବେ ନିର୍ବାଚନ କମିଶନର ସୂତ୍ର ଅନୁସାରେ, SIR ସମ୍ପର୍କିତ ସମସ୍ତ ନିଷ୍ପତ୍ତି ତିନି ନିର୍ବାଚନ କମିଶନରଙ୍କ ସହମତିରେ ନିଆଯାଇଛି।
୧୦ ମାସରେ ୧୪ ଥର ଆପତ୍ତି
ରିପୋର୍ଟ ଅନୁସାରେ, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଗତ ୧୦ ମାସ ମଧ୍ୟରେ ଅନ୍ତତଃ ୧୪ ଥର କମିଶନରେ ନିଆଯାଇଥିବା କିଛି ନିଷ୍ପତ୍ତି ଓ ଜାରି ହୋଇଥିବା ନିର୍ଦ୍ଦେଶ ଉପରେ ଆପତ୍ତି ଜଣାଇଥିବା କୁହାଯାଇଛି। ଏହି ଆପତ୍ତି ଭୋଟର ନାଁ ଯୋଡ଼ିବା ଓ ବାଦ୍ ଦେବା, ଫର୍ମ-୬ରେ ପରିବର୍ତ୍ତନ ଏବଂ ଭୋଟର ତାଲିକାର ଡାଟାବେସ୍ ନିୟନ୍ତ୍ରଣ ସହ ଜଡ଼ିତ ଥିବା ରିପୋର୍ଟରେ ଦାବି କରାଯାଇଛି।
ଫର୍ମ-୬କୁ ନେଇ ବିବାଦ
ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ ବ୍ୟବହୃତ ହେଉଛି ଫର୍ମ-୬। ରିପୋର୍ଟ ଅନୁସାରେ, ନିର୍ବାଚନ କମିଶନର ବିବେକ ଯୋଶୀ ମେ’ ମାସରେ ମତ ଦେଇଥିଲେ ଯେ, SIR ସମ୍ପର୍କିତ ନିର୍ଦ୍ଦେଶ ଜରିଆରେ ଆଇନଗତ ଫର୍ମ-୬କୁ ପରିବର୍ତ୍ତନ କରାଯାଇପାରିବ ନାହିଁ। ଏଥିପାଇଁ Registration of Electors Rules, 1960ରେ ସଂଶୋଧନ ଆବଶ୍ୟକ ବୋଲି ସେ ମତ ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସାନ୍ଧୁ ମଧ୍ୟ ଏହି ମତ ସହ ସହମତ ହୋଇଥିବା କୁହାଯାଇଛି।
ପରେ ଅନଲାଇନ୍ ଫର୍ମ-୬ରେ ନୂଆ ଭୋଟରଙ୍କ ଆବେଦନକୁ SIR ସହ ସଂଯୋଗ କରୁଥିବା ଏକ ଘୋଷଣା ଯୋଡ଼ାଯାଇଥିଲା। ଅଗଷ୍ଟରେ ସାନ୍ଧୁ ଏହି ପରିବର୍ତ୍ତନକୁ ଅନୁମୋଦନବିହୀନ ଓ ବେଆଇନ ବୋଲି ଦର୍ଶାଇ ତୁରନ୍ତ ହଟାଇବାକୁ କହିଥିବା ରିପୋର୍ଟରେ ଦାବି କରାଯାଇଛି।
ଡାଟାବେସ୍ କେନ୍ଦ୍ରୀକରଣକୁ ନେଇ ପ୍ରଶ୍ନ
ଭୋଟର ତାଲିକା ପରିଚାଳନାର IT ବ୍ୟବସ୍ଥା ଓ ଡାଟାବେସ୍ର ନିୟନ୍ତ୍ରଣକୁ କେନ୍ଦ୍ରୀଭୂତ କରାଯାଉଥିବା ନେଇ ମଧ୍ୟ ଦୁଇ ନିର୍ବାଚନ କମିଶନର ଆପତ୍ତି ଉଠାଇଥିବା ରିପୋର୍ଟରେ କୁହାଯାଇଛି। ଏନେଇ ସେମାନେ ପୃଥକ ଭାବେ କ୍ୟାବିନେଟ୍ ସଚିବ ଟିଭି ସୋମନାଥନଙ୍କୁ ମଧ୍ୟ ଅବଗତ କରିଥିବା ଦାବି ହୋଇଛି।
ଓପି ରାୱତ କହିଛନ୍ତି, ନିର୍ବାଚନ ତାଲିକା ସମ୍ପର୍କିତ କୌଣସି ବୈଧ ନିଷ୍ପତ୍ତିକୁ ସଫ୍ଟୱେର୍ ରୋକିବା ଉଚିତ୍ ନୁହେଁ। ତାଙ୍କ ମତରେ, ଏପରି ପରିସ୍ଥିତି ନିର୍ବାଚନ କମିଶନ ପ୍ରତି ଲୋକଙ୍କ ବିଶ୍ବାସ ଉପରେ ପ୍ରଭାବ ପକାଇପାରେ।
ତେବେ ନିର୍ବାଚନ କମିଶନ ସୂତ୍ର ରିପୋର୍ଟକୁ ନେଇ କହିଛି ଯେ, SIR ସମେତ କମିଶନର ସମସ୍ତ ନିଷ୍ପତ୍ତି ତିନି ନିର୍ବାଚନ କମିଶନରଙ୍କ ଅନୁମୋଦନ ସହ ଏକମତରେ ନିଆଯାଇଛି।




