ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ୍ ଜନତା ପାର୍ଟି’ (ସିଜେପି) ଅକ୍ଟୋବର ୨ ତାରିଖରୁ ମୁମ୍ବାଇରେ ‘ଜେଲ୍ ଭରୋ ଆନ୍ଦୋଳନ’ ଘୋଷଣା କରିଛି। ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ ସୋମବାର ଏକ୍ସରେ ଏହି ଘୋଷଣା କରିଛନ୍ତି। ଗାନ୍ଧୀ ଜୟନ୍ତୀ ଦିନ ଶିବାଜୀ ପାର୍କରେ ଏହି ଆନ୍ଦୋଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ସିଜେପି ପୂର୍ବରୁ ଅକ୍ଟୋବର ୨ରେ ଶିବାଜୀ ପାର୍କରେ ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ କରିବାକୁ ଘୋଷଣା କରିଥିଲା। ତେବେ ମୁମ୍ବାଇ ପୁଲିସ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇନଥିଲା। ଏହା ପରେ ଦଳ ପକ୍ଷରୁ ‘ଜେଲ୍ ଭରୋ’ ଆନ୍ଦୋଳନ ଘୋଷଣା କରାଯାଇଛି।
ପୁଲିସ ପକ୍ଷରୁ କୁହାଯାଇଛି ଯେ ଶିବାଜୀ ପାର୍କରେ ସମାବେଶ ପାଇଁ ଅନୁମତି ଦେବାର କ୍ଷମତା ପୁଲିସ ନିକଟରେ ନାହିଁ। ବମ୍ବେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଓ ମହାରାଷ୍ଟ୍ର ସରକାରଙ୍କ ପରବର୍ତ୍ତୀ ଆଦେଶକୁ ଏହାର ଆଧାର ଭାବେ ଦର୍ଶାଯାଇଛି। ଏହା ସହ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ, ଟ୍ରାଫିକ୍ ସମସ୍ୟା ଓ ନିକଟସ୍ଥ ହସ୍ପିଟାଲକୁ ଯାତାୟାତ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ମଧ୍ୟ ପୁଲିସ ଉଲ୍ଲେଖ କରିଛି। ଆୟୋଜକଙ୍କୁ ମୁମ୍ବାଇର ଅନ୍ୟ କୌଣସି ସ୍ଥାନ ପାଇଁ ଆବେଦନ କରିବାକୁ କୁହାଯାଇଛି।
ସିଜେପିର ପ୍ରମୁଖ ଦାବି ମଧ୍ୟରେ ଜ୍ଞାନେଶ କୁମାରଙ୍କ ଇସ୍ତଫା, ନିର୍ବାଚନୀ ଭୋଟର ତାଲିକାର ‘ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍’ (ଏସ୍ଆଇଆର୍) ପ୍ରକ୍ରିୟାକୁ ରୋକିବା ଏବଂ ନିର୍ବାଚନ କମିସନରଙ୍କ ନିଯୁକ୍ତି ସମ୍ପର୍କିତ ୨୦୨୩ର ଆଇନରେ ପରିବର୍ତ୍ତନ କରିବା ରହିଛି। ଦଳ ଜାନୁଆରୀ ୨୦୨୫ର ଭୋଟର ତାଲିକାକୁ ପୁନଃବହାଲ କରିବାକୁ ମଧ୍ୟ ଦାବି କରିଛି।ନିର୍ବାଚନ କମିସନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସିଜେପିର ଏହି ଆନ୍ଦୋଳନ ଘୋଷଣା ଆସିଛି। ନିର୍ବାଚନ କମିସନ ପକ୍ଷରୁ ତେବେ କୁହାଯାଇଛି ଯେ ଆୟୋଗ ମଧ୍ୟରେ ମତାମତର ଭିନ୍ନତା ଥିବା ସ୍ୱାଭାବିକ ଏବଂ ଏସ୍ଆଇଆର୍ ସମେତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆୟୋଗର ସମ୍ମତିରେ ନିଆଯାଇଛି। ଆୟୋଗ ନିଜ ନିଷ୍ପତ୍ତିଗୁଡ଼ିକ ଆଇନସମ୍ମତ ପ୍ରକ୍ରିୟା ଅନୁସାରେ ହୋଇଥିବା ମଧ୍ୟ କହିଛି।
ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୨ରେ ସିଜେପିର ଆନ୍ଦୋଳନ ଉପରେ ଏବେ ନଜର ରହିଛି। ଶିବାଜୀ ପାର୍କରେ କାର୍ଯ୍ୟକ୍ରମ ପାଇଁ ଅନୁମତି ନମିଳିଥିବା ସତ୍ତ୍ୱେ ଦଳ ସେଠାରେ ‘ଜେଲ୍ ଭରୋ ଆନ୍ଦୋଳନ’ କରିବାକୁ ଘୋଷଣା କରିଛି।




