ଲକ୍ଷ୍ନୌ: ଉତ୍ତର ପ୍ରଦେଶ କ୍ୟାଡରର ୨୦୧୩ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲ ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଛନ୍ତି। ରବିବାର ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେ ଇସ୍ତଫା ଘୋଷଣା କରିବା ପରେ ଏହାକୁ ନେଇ ଉତ୍ତର ପ୍ରଦେଶରେ ରାଜନୈତିକ ବିତର୍କ ତୀବ୍ର ହୋଇଛି। ତାଙ୍କ ଇସ୍ତଫାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ଏବଂ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସହ ଯୋଡ଼ି ଚର୍ଚ୍ଚା ହେଉଛି।
ଦିବ୍ୟା ମିତ୍ତଲ ଦେଓରିଆ, ମିର୍ଜାପୁର ଓ ସନ୍ଥ କବୀର ନଗର ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ଇସ୍ତଫାକୁ ନେଇ ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ସରକାରରେ ଦୁର୍ନୀତି ବ୍ୟାପକ ହୋଇଥିବାରୁ ସଚ୍ଚୋଟ ଅଧିକାରୀମାନେ କାମ କରିପାରୁନଥିବା ଏବଂ ଇସ୍ତଫା ଦେଉଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ, ବିଜେପି ମୁଖପାତ୍ର ପ୍ରଶାନ୍ତ ଉମରାଓ ସୋସିଆଲ ମିଡିଆରେ ଦିବ୍ୟା ମିତ୍ତଲଙ୍କ ଇସ୍ତଫାକୁ ନେଇ ଅନ୍ୟ ଏକ ଦାବି କରିଛନ୍ତି। ରାହୁଲ ଗାନ୍ଧୀଙ୍କ ସହ ଦିବ୍ୟା ମିତ୍ତଲଙ୍କ ସାକ୍ଷାତ ପରେ ସେ ଇସ୍ତଫା ଦେଇଥିବା ଏବଂ ଆଗାମୀ ୟୁପି ନିର୍ବାଚନରେ କଂଗ୍ରେସର ଏଜେଣ୍ଡାକୁ ଆଗକୁ ବଢ଼ାଇବା ଏହା ପଛର ଉଦ୍ଦେଶ୍ୟ ବୋଲି ସେ ଦାବି କରିଛନ୍ତି। ତେବେ ଏହି ଦାବି ନେଇ ଦିବ୍ୟା ମିତ୍ତଲଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।
ଆଇଏଏସ୍ ହେବା ପୂର୍ବରୁ ଦିବ୍ୟା ମିତ୍ତଲ ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ୍ ବାଙ୍ଗାଲୋରରେ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ସେ ଲଣ୍ଡନରେ ମଧ୍ୟ ଚାକିରି କରିଥିଲେ। ତାଙ୍କ ଇସ୍ତଫା ପରେ ଏବେ ସେ ରାଜନୀତିରେ ପ୍ରବେଶ କରିବେ କି ନାହିଁ ଏବଂ ୨୦୨୭ ୟୁପି ନିର୍ବାଚନରେ ତାଙ୍କର କୌଣସି ଭୂମିକା ରହିବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।




