ବେଙ୍ଗାଲୁରୁ: ଦୁର୍ନୀତି ଅଭିଯୋଗକୁ ନେଇ କର୍ଣ୍ଣାଟକ ମନ୍ତ୍ରୀ ବି. ନାଗେନ୍ଦ୍ର ଶୁକ୍ରବାର ସନ୍ଧ୍ୟାରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଘୋଷଣା କରିଛନ୍ତି। ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ମାତ୍ର ୨୫ ଦିନ ପରେ ଇସ୍ତଫା ଘୋଷଣା କରିବା ସମୟରେ ନାଗେନ୍ଦ୍ର ଭାବପ୍ରବଣ ହୋଇପଡ଼ିଥିଲେ। ବିଜେପିର ପ୍ରବଳ ଚାପ ଯୋଗୁଁ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ନାଗେନ୍ଦ୍ର ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ୨୦୨୪ ଜୁନ୍‌ରେ ମଧ୍ୟ ସେ ସିଦ୍ଧରମୈୟା ସରକାରରୁ ଇସ୍ତଫା ଦେଇଥିଲେ। ବାଲ୍ମୀକି ନିଗମର ପାଣ୍ଠି ଅନଧିକୃତ ଭାବେ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଅଭିଯୋଗ ପରେ ସେତେବେଳେ ସେ ମନ୍ତ୍ରିପଦ ଛାଡ଼ିଥିଲେ। ପରେ ଶିବକୁମାରଙ୍କ ନେତୃତ୍ୱରେ ସରକାର ଗଠନ ପରେ ଅଗଷ୍ଟ ପ୍ରଥମ ସପ୍ତାହରେ ନାଗେନ୍ଦ୍ର ପୁଣି ମନ୍ତ୍ରିମଣ୍ଡଳକୁ ଫେରିଥିଲେ।

ଇସ୍ତଫା ଘୋଷଣା କରି ଭାବପ୍ରବଣ ନାଗେନ୍ଦ୍ର କହିଛନ୍ତି, “ଆଜି ମୁଁ ସ୍ୱେଚ୍ଛାକୃତ ଭାବେ ମନ୍ତ୍ରିପଦରୁ ଇସ୍ତଫା ଦେଉଛି।” ତାଙ୍କୁ ଦଳିତ ହୋଇଥିବା କାରଣରୁ ଟାର୍ଗେଟ୍‌ କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ନାଗେନ୍ଦ୍ର ଆହୁରି କହିଛନ୍ତି ଯେ, ଦେଶରେ ଜଣେ ଆଦିବାସୀ ଆଗକୁ ବଢ଼ିବାକୁ ମନୁବାଦୀମାନେ ଚାହୁଁନଥିବାରୁ ତାଙ୍କୁ ଟାର୍ଗେଟ୍‌ କରାଯାଉଛି। ବାଲ୍ମୀକି ନିଗମର କାରବାରରେ କେଉଁଠି ତାଙ୍କ ନାଁ ନଥିଲେ ମଧ୍ୟ ତାଙ୍କୁ ଟାର୍ଗେଟ୍‌ କରାଯାଇଥିବା ସେ ଦାବି କରିଛନ୍ତି।