ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ରାଜନୈତିକ ତାପମାତ୍ରା ବଢ଼ିଛି। ଲୋକସଭାର ବିରୋଧୀ ଦଳନେତା Rahul Gandhi ଶନିବାର କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ Narendra Modiଙ୍କୁ କଟୁ ଭାବେ ସମାଲୋଚନା କରିଛନ୍ତି। ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ Dharmendra Pradhanଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ରାହୁଲ କହିଛନ୍ତି ଯେ, ନିଟ୍ ପରୀକ୍ଷା ଦେଇଥିବା ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ସହ ଗୁରୁତର ବିଶ୍ୱାସଘାତ ହୋଇଛି। ସେ ଅଭିଯୋଗ କରିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍‌ ଭଳି ଗମ୍ଭୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିରବ ରହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ତୁରନ୍ତ ଶିକ୍ଷାମନ୍ତ୍ରୀଙ୍କୁ ପଦରୁ ହଟାନ୍ତୁ, ନଚେତ୍ ଏହି ଘଟଣା ପାଇଁ ସେ ନିଜେ ଦାୟୀ ହେବେ।” ସେ ଆହୁରି କହିଛନ୍ତି ଯେ, ଦୁଇ ବର୍ଷ ଧରି ଦିନରାତି ପରିଶ୍ରମ କରିଥିବା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ହୋଇଛି।

ତାଙ୍କ ଅଭିଯୋଗ ଅନୁଯାୟୀ, ପରୀକ୍ଷା ପୂର୍ବରୁ ହିଁ ପ୍ରଶ୍ନପତ୍ର ସୋସିଆଲ୍ ମିଡିଆ ଓ ହ୍ୱାଟସଆପ୍‌ରେ ଘୁରୁଥିଲା। ତଥାପି ସରକାର ପକ୍ଷରୁ ସମୟରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯାଇନଥିଲା ବୋଲି ସେ ଦାବି କରିଛନ୍ତି।

ରାହୁଲ ଆର୍‌ଏସ୍‌ଏସ୍‌, ବିଜେପି ଓ କିଛି ଶିକ୍ଷାନୁଷ୍ଠାନ ଅଧିକାରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା ଅନୁସାରେ, ଦେଶର ଶିକ୍ଷା ବ୍ୟବସ୍ଥାରେ ଯୋଗ୍ୟତା ପରିବର୍ତ୍ତେ ଚିନ୍ତାଧାରା ଆଧାରରେ ନିଯୁକ୍ତି ହେଉଛି, ଯାହା ଦେଶର ଶିକ୍ଷା ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରୁଛି।

ସୂଚନାଯୋଗ୍ୟ, ଗତ ମେ ୩ ତାରିଖରେ ନିଟ୍-ୟୁଜି ପରୀକ୍ଷା ଆୟୋଜିତ ହୋଇଥିଲା। ପରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ସାମ୍ନାକୁ ଆସିବା ପରେ ସରକାର ପରୀକ୍ଷାକୁ ବାତିଲ କରି ଆସନ୍ତା ଜୁନ୍‌ ୨୧ରେ ପୁନଃ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତି।