ନୂଆଦିଲ୍ଲୀ: ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଆୟୋଜିତ ଜାତୀୟ ସମାରୋହରେ ବିରୋଧୀ ଦଳର ଦୁଇ ପ୍ରମୁଖ ନେତା—ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ—ଅନୁପସ୍ଥିତ ରହିଛନ୍ତି। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ୧୩ତମ ଥର ପାଇଁ ସ୍ୱାଧୀନତା ଦିବସ ଅବସରରେ ଦେଶକୁ ସମ୍ବୋଧିତ କରିଛନ୍ତି।
ରାହୁଲ ଗାନ୍ଧୀ ଓ ଖାର୍ଗେ ଲଗାତାର ଦ୍ୱିତୀୟ ବର୍ଷ ଲାଲକିଲ୍ଲାର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇନାହାନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
୨୦୨୪ରେ ଆସନ ବ୍ୟବସ୍ଥାକୁ ନେଇ ବିବାଦ
୨୦୨୪ର ସ୍ୱାଧୀନତା ଦିବସ ସମାରୋହରେ ରାହୁଲ ଗାନ୍ଧୀଙ୍କ ଆସନ ବ୍ୟବସ୍ଥାକୁ ନେଇ ବିବାଦ ଦେଖାଦେଇଥିଲା। ଲୋକସଭାର ବିରୋଧୀ ଦଳ ନେତା ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମାନ ମାନ୍ୟତା ପାଇଥିବା ରାହୁଲଙ୍କୁ ଲାଲକିଲ୍ଲା କାର୍ଯ୍ୟକ୍ରମରେ ଦ୍ୱିତୀୟ ଧାଡ଼ିରେ ବସାଯାଇଥିଲା।
ଏହାକୁ ନେଇ କଂଗ୍ରେସ ପକ୍ଷରୁ ଆପତ୍ତି ଉଠାଯାଇଥିଲା। ତେବେ କାର୍ଯ୍ୟକ୍ରମ ଆୟୋଜନ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଅଲିମ୍ପିଆନ୍ମାନଙ୍କୁ ବସାଇବା ପାଇଁ ଆସନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରାଯାଇଥିଲା।
ପ୍ରୋଟୋକଲ୍ ଅନୁଯାୟୀ, ସ୍ୱାଧୀନତା ଦିବସ ଭଳି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଲୋକସଭାର ବିରୋଧୀ ଦଳ ନେତାଙ୍କୁ ସାଧାରଣତଃ ପ୍ରଥମ ଧାଡ଼ିରେ ସ୍ଥାନ ଦିଆଯାଏ।




