ମୁମ୍ବାଇ: ଶିବସେନା (ୟୁବିଟି) ଭିତରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବେ ଖୋଲାଖୋଲି ସାମ୍ନାକୁ ଆସିଛି। ଦଳୀୟ ବୈଠକରୁ କେତେକ ସାଂସଦଙ୍କ ଅନୁପସ୍ଥିତି ପରେ ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନା (ୟୁବିଟି) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଲୋକସଭାରେ ଦଳର ମୁଖ୍ୟ ସଚେତକ ଅନିଲ ଦେଶାଇ ଅନୁପସ୍ଥିତ ସାଂସଦମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

ନୋଟିସ୍‌ରେ ସ୍ପଷ୍ଟ କରାଯାଇଛି ଯେ, ନିର୍ଦ୍ଧାରିତ ସମୟ ଭିତରେ ଉତ୍ତର ନମିଳିଲେ ଦଳ ଧାରଣା କରିବ ଯେ ସଂପୃକ୍ତ ସାଂସଦମାନେ ସ୍ୱେଚ୍ଛାକୃତ ଭାବେ ଦଳ ଛାଡ଼ିଛନ୍ତି। ଏହାପରେ ସେମାନଙ୍କ ବିରୋଧରେ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଦଳବଦଳ ବିରୋଧୀ ଆଇନ ଲାଗୁ କରାଯାଇପାରେ।

ସୂତ୍ର ଅନୁସାରେ, ଶିବସେନା (ୟୁବିଟି)ର ଛଅ ଜଣ ସାଂସଦ ବିଦ୍ରୋହୀ ମନୋଭାବରେ ରହିଥିବା ଚର୍ଚ୍ଚା ଚାଲିଛି ଏବଂ ସେମାନେ ଏନ୍‌ଡିଏକୁ ସମର୍ଥନ ଦେଇପାରନ୍ତି। ଏହି ଅଟକଳ ମଧ୍ୟରେ ଡାକାଯାଇଥିବା ସଂସଦୀୟ କମିଟି ବୈଠକରେ କେବଳ ତିନି ଜଣ ସାଂସଦ ଯୋଗ ଦେଇଥିବାବେଳେ ଛଅ ଜଣ ଅନୁପସ୍ଥିତ ଥିଲେ। ଏହା ଦଳୀୟ ନେତୃତ୍ୱର ଚିନ୍ତାକୁ ଆହୁରି ବଢ଼ାଇଛି।

ଏହି ପରିସ୍ଥିତିକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଉତ୍ତରାଧିକାର କେବଳ ରକ୍ତ ସମ୍ପର୍କ କିମ୍ବା ଇଚ୍ଛାରେ ନୁହେଁ, ବିଚାରଧାରାରେ ନିର୍ଦ୍ଧାରିତ ହୁଏ। ଶିବସେନା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ବୋଲି ସେ କହିଛନ୍ତି। ସେ ଏହାକୁ “ଟ୍ରେଲର ମାତ୍ର, ପୂରା ସିନେମା ବାକି ଅଛି” ବୋଲି ମଧ୍ୟ ମନ୍ତବ୍ୟ ଦେଇଛନ୍ତି।

ଏହାରି ମଧ୍ୟରେ ଉଦ୍ଧବ ଠାକରେ ଦଳ ଭିତରେ ଚାଲିଥିବା ପରିସ୍ଥିତିକୁ ନେଇ ଭାବୁକ ପ୍ରତିକ୍ରିୟା ଦେଇ କହିଛନ୍ତି, “ଯଦି କାହାର ଲାଗୁଛି ଯେ ମୁଁ ଏହି ପଦ ପାଇଁ ଯୋଗ୍ୟ ନୁହେଁ, ତେବେ ସିଧାସଳଖ ମୋତେ କୁହନ୍ତୁ। ମୁଁ ଦଳ ମୁଖ୍ୟ ପଦ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ।”

ଉଦ୍ଧବଙ୍କ ଏହି ମନ୍ତବ୍ୟ ପରେ ସାଂସଦ ସଞ୍ଜୟ ରାଉତ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏକନାଥ ସିନ୍ଦେଙ୍କୁ ଏତେ ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ। ସେ ଅଭିଯୋଗ କରି କହିଛନ୍ତି ଯେ କେତେକ ନେତା ନିଜ ଦଳ ଓ ନେତୃତ୍ୱ ସହ ବିଶ୍ୱାସଘାତକତା କରିଛନ୍ତି ଏବଂ କ୍ଷମତାରେ ଥିବା ପର୍ଯ୍ୟନ୍ତ ଏଭଳି ରାଜନୀତି ଚାଲିବ।