ମହାରାଷ୍ଟ୍ର ରାଜନୀତିରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP)ର ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ମିଶ୍ରଣ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା NCP ମୁଖ୍ୟ ସୁନେତ୍ରା ପାୱାର ସିଧାସଳଖ କିଛି କହିନାହାନ୍ତି। ସମୟ ଆସିଲେ ସବୁ କଥା ଜଣାପଡ଼ିବ ବୋଲି ସେ କହିଛନ୍ତି।

ବୁଧବାର ସେ ବାରାମତୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ଏହି ସମୟରେ ସାମ୍ବାଦିକମାନେ NCPର ଦୁଇ ଗୋଷ୍ଠୀ ଏକାଠି ହେବା ସମ୍ଭାବନା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସୁନେତ୍ରା କହିଥିଲେ, “ଆପଣମାନେ ଏବେ ଅନ୍ୟ ଏକ ପ୍ରସଙ୍ଗ ଜାଣିବାକୁ ଅଧିକ ଆଗ୍ରହୀ ବୋଲି ମୁଁ ଜାଣିଛି। କିନ୍ତୁ ଆଜିର ବିଷୟ ସମ୍ପୂର୍ଣ୍ଣ ଭିନ୍ନ। ସମୟ ଆସିଲେ ସବୁ କଥା ଜଣାପଡ଼ିବ।”

ଗତ ସପ୍ତାହରେ ସୁନେତ୍ରା ପାୱାରଙ୍କ ଗୋଷ୍ଠୀର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ଓ ତାଙ୍କ ପୁଅ ପାର୍ଥ ପାୱାର NCP (SP) ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ। ଶରଦ ପାୱାର ଅସୁସ୍ଥ ହୋଇ ହସ୍ପିଟାଲରେ ଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଏହି ସାକ୍ଷାତ ହୋଇଥିବା ନେତାମାନେ କହିଥିଲେ। ତେବେ ଏହି ସାକ୍ଷାତ ପରେ ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଚର୍ଚ୍ଚା ଆହୁରି ବଢ଼ିଥିଲା।

ଏହା ପୂର୍ବରୁ NCPର ମହାରାଷ୍ଟ୍ର ମୁଖ୍ୟ ସୁନୀଲ ତଟକରେ ମଧ୍ୟ ମିଶ୍ରଣ ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିଲେ। ତାଙ୍କ କହିବା ଅନୁସାରେ, ଅଜିତ ପାୱାର ଜୀବିତ ଥିଲେ ଚଳିତ ବର୍ଷ ଫେବ୍ରୁଆରୀ ୧୨ରେ ଦୁଇ ଗୋଷ୍ଠୀର ମିଶ୍ରଣ ହୋଇଥାନ୍ତା। ଅଜିତ ପାୱାରଙ୍କ ଜାନୁଆରୀ ୨୮ରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ଏହି ପ୍ରକ୍ରିୟା ଅଟକି ଯାଇଥିବା ସେ ଦାବି କରିଥିଲେ।

ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ କହିଛନ୍ତି ଯେ, ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଶରଦ ପାୱାର ଓ ସୁନେତ୍ରା ପାୱାର ହିଁ ସ୍ପଷ୍ଟ କରିପାରିବେ। ତେବେ ଏପରି ମିଶ୍ରଣ ହେଲେ ଏହା ଶାସକ ମେଣ୍ଟର ଅଂଶୀଦାର BJP ସହ ଆଲୋଚନା ବିନା ସମ୍ଭବ ନୁହେଁ ବୋଲି ସେ ମତ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୩ ଜୁଲାଇରେ ଅଜିତ ପାୱାର ନିଜ ସମର୍ଥକ ବିଧାୟକଙ୍କ ସହ BJP ନେତୃତ୍ୱାଧୀନ ମହାୟୁତି ସରକାରରେ ଯୋଗଦେବା ପରେ NCP ଦୁଇ ଭାଗ ହୋଇଥିଲା। ଏବେ ଉଭୟ ଗୋଷ୍ଠୀ ପୁଣି ଏକାଠି ହେବେ କି ନାହିଁ, ତାହା ଉପରେ ମହାରାଷ୍ଟ୍ର ରାଜନୀତିର ନଜର ରହିଛି।