ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନକୁ ନେଇ ବିଜେପି ଭିତରେ ଚର୍ଚ୍ଚା ଜୋର ଧରିଛି। ଦଳର ଗୋପନୀୟ ଓ ବହୁସ୍ତରୀୟ ଆଭ୍ୟନ୍ତରୀଣ ସର୍ଭେରେ ପ୍ରାୟ ୧୨୫ରୁ ୧୨୮ ଜଣ ବର୍ତ୍ତମାନର ବିଧାୟକଙ୍କ ବିରୋଧରେ ନିଜ ନିର୍ବାଚନମଣ୍ଡଳୀରେ ଜନଅସନ୍ତୋଷ ଥିବା ଜଣାପଡ଼ିଥିବା ରିପୋର୍ଟରେ ଦାବି କରାଯାଇଛି।

୪୦୩ ଆସନରେ ହୋଇଛି ସର୍ଭେ

ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶର ସମସ୍ତ ୪୦୩ ବିଧାନସଭା ଆସନରେ ବିଜେପି ପକ୍ଷରୁ ସର୍ଭେ କରାଯାଇଛି। ବିଧାୟକଙ୍କ କାର୍ଯ୍ୟଦକ୍ଷତା, ଲୋକପ୍ରିୟତା ଓ ସ୍ଥାନୀୟ ଲୋକଙ୍କ ମତାମତ ଆଧାରରେ ପ୍ରାର୍ଥୀଙ୍କ ଜିତିବା ସମ୍ଭାବନା ଆକଳନ କରାଯାଇଥିବା କୁହାଯାଉଛି।

ସର୍ଭେରେ ଖରାପ ରିପୋର୍ଟ ଆସିଥିବା କିଛି ବିଧାୟକଙ୍କୁ ପୁଣି ଟିକଟ ନଦେଇ ସେମାନଙ୍କ ସ୍ଥାନରେ ନୂଆ ମୁହଁଙ୍କୁ ସୁଯୋଗ ଦେବା ନେଇ ବିଜେପି ବିଚାର କରୁଥିବା ସୂଚନା ମିଳିଛି। ତେବେ ୧୨୫ରୁ ୧୨୮ ଜଣଙ୍କ ଟିକଟ କାଟିବା ନେଇ ଦଳ ପକ୍ଷରୁ କୌଣସି ଅଧିକାରିକ ଘୋଷଣା ହୋଇନାହିଁ।

କେଉଁ ଅଞ୍ଚଳରେ କେତେ ବିଧାୟକଙ୍କ ଟିକଟ ଉପରେ ଆଶଙ୍କା?

ବିଜେପିର ସାଂଗଠନିକ ବିଭାଜନ ଅନୁସାରେ ପଶ୍ଚିମ ଅଞ୍ଚଳର ୭୧ ଆସନ ମଧ୍ୟରୁ ୨୩ରୁ ୨୫ ଜଣ, ବ୍ରଜ ଅଞ୍ଚଳର ୬୫ ଆସନରୁ ୨୪ରୁ ୨୬ ଜଣ ଏବଂ ଅବଧ ଅଞ୍ଚଳର ୮୨ ଆସନରୁ ୨୬ରୁ ୨୮ ଜଣ ବିଧାୟକଙ୍କ ଟିକଟ ଉପରେ ପ୍ରଶ୍ନ ଉଠିଥିବା କୁହାଯାଉଛି।

ସେହିପରି କାନପୁର ଅଞ୍ଚଳର ୫୨ ଆସନରୁ ୨୨ରୁ ୨୪ ଜଣ, କାଶୀ ଅଞ୍ଚଳର ୭୨ ଆସନରୁ ୧୯ରୁ ୨୧ ଜଣ ଏବଂ ଗୋରଖପୁର ଅଞ୍ଚଳର ୬୨ ଆସନରୁ ୧୮ରୁ ୨୨ ଜଣ ବିଧାୟକଙ୍କ ଟିକଟ କଟିପାରେ ବୋଲି ସର୍ଭେ ଆଧାରରେ ଆକଳନ କରାଯାଇଛି। ଏହି ତାଲିକାରେ କିଛି ମନ୍ତ୍ରୀ ଓ ବରିଷ୍ଠ ବିଧାୟକ ମଧ୍ୟ ଥିବା ସୂଚନା ମିଳିଛି।

୨୦୨୪ର ଝଟକାରୁ ଶିକ୍ଷା ନେଉଛି ବିଜେପି

ଉତ୍ତରପ୍ରଦେଶରେ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ବିଜେପି ପାଇଁ ବଡ଼ ଝଟକା ଥିଲା। ଏହାପରେ ୨୦୨୭ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ଦଳ ଅଧିକ ସତର୍କ ହୋଇଥିବା କୁହାଯାଉଛି।

ବର୍ତ୍ତମାନ ଉତ୍ତରପ୍ରଦେଶ ବିଧାନସଭାରେ ବିଜେପିର ୨୫୫ ଜଣ ବିଧାୟକ ଅଛନ୍ତି। ୨୦୨୨ ନିର୍ବାଚନରେ ବିଜେପି ୨୫୫ ଆସନ ଜିତିଥିବା ବେଳେ ଏନ୍‌ଡିଏ ସହଯୋଗୀଙ୍କୁ ମିଶାଇ ମେଣ୍ଟର ଆସନ ସଂଖ୍ୟା ୨୭୩ ଥିଲା। ୪୦୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୨୦୨ ଆସନ ଆବଶ୍ୟକ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟଥର ସରକାର ଗଠନ କରିବା ବିଜେପିର ଲକ୍ଷ୍ୟ ଥିବାରୁ ଟିକଟ ବଣ୍ଟନରେ ଦଳ କୌଣସି ଝୁମ୍ପ ନେବାକୁ ଚାହୁଁନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।