ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ପୋଖରୀପୁଟ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି।

ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ସଂଘ (OSBA)ରେ ପଞ୍ଜୀକୃତ ଖେଳାଳିଙ୍କ ରାଙ୍କିଂ ପଏଣ୍ଟ ଏବଂ ଟ୍ରାଏଲ୍‌ ପ୍ରଦର୍ଶନକୁ ଆଧାର କରି ଦଳ ଚୟନ କରାଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ—ମୋଟ ୬ଟି ରାଜ୍ୟ ଅଂଶଗ୍ରହଣ କରିବେ। ଟିମ୍ ଇଭେଣ୍ଟ ସହ ବ୍ୟକ୍ତିଗତ ପ୍ରତିଯୋଗିତା ମଧ୍ୟ ହେବ।

ଓଡ଼ିଶାର କନିଷ୍ଠ ଦଳ

କନିଷ୍ଠ ଦଳରେ ସୌମ୍ୟଜିତ ସାହୁ, ଦିବ୍ୟମ୍ କେଜ୍ରିୱାଲ, ଶୁଭ୍ରକେତନ ମଲ୍ଲିକ, ନିମିଶା ଓଝା, ସ୍ୱାତି ନାୟକ ଏବଂ ଅଶ୍ୱିକା ମିଶ୍ର ସ୍ଥାନ ପାଇଛନ୍ତି।

ବରିଷ୍ଠ ଦଳ

ବରିଷ୍ଠ ଦଳରେ ତହସିବ୍ ଖାନ, ଦିବ୍ୟମ୍ କେଜ୍ରିୱାଲ, ଜୈସ ଅଗ୍ରୱାଲ, ଅଭିଜିତ ମହାରଣା, ତନ୍ମୟ କୁମାର ସାହୁ, ଶୁଭ୍ରକେତନ ମଲ୍ଲିକ, କଲଗା ଜଗଦୀଶ, ତୁମି ବାକ୍‌ଚି, ହର୍ଷିତା ରାଉତ, ଆଶ୍ରିୟ ଜି. ବିରୋପ, ନିମିଶା ଓଝା, ସ୍ୱାତି ନାୟକ, ଅଶ୍ୱିକା ମିଶ୍ର ଏବଂ ସ୍ୱିଟିପ୍ରିୟା ପ୍ରଧାନ ରହିଛନ୍ତି।

ଓଡ଼ିଶାର ଏହି ଖେଳାଳିମାନେ ବାଳକ ଓ ବାଳିକା ଏକକ, ଯୁଗଳ ଏବଂ ମିଶ୍ରିତ ଯୁଗଳ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

୩୦ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର

OSBA ସମ୍ପାଦକ ତଥା ଚୟନ କମିଟି ଆବାହକ ନିଳିନ କୁମାର ଏବଂ ଚୟନ କମିଟି ଅଧ୍ୟକ୍ଷ ପ୍ରଦୀପ କୁମାର ପଟ୍ଟନାୟକ ଚୂଡ଼ାନ୍ତ ଦଳ ଘୋଷଣା କରିଛନ୍ତି। ଚୟନ କମିଟିରେ ବରିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ତଥା ପ୍ରଶିକ୍ଷକ କମଲ ଦାସଙ୍କ ସମେତ ବିଜୟ କୁମାର ବାଗ, ଜୟପ୍ରକାଶ ସିଂହ, ମନୋରଂଜନ ପଣ୍ଡା, ବିବେକ କର, ଶୁଭ୍ରତା କାନୁନଗୋ ଓ ସୋମେନ ଶେଖର ଦାଶ ସଦସ୍ୟ ଅଛନ୍ତି।

ପୂର୍ବାଞ୍ଚଳ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳର ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରରେ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଶିବିର ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।