ଟୋକିଓ: ୨୦୨୬ ଏସିଆନ୍ ଗେମ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୧୦ ଦିନ ଥିବା ବେଳେ ଜାପାନର ଆୟୋଜକ ସହର ନାଗୋୟାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ରେକର୍ଡ ବର୍ଷାରେ ସହରର ବିଭିନ୍ନ ରାସ୍ତା ଓ ଘରେ ପାଣି ପଶିବା ସହ ପରିବହନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସିଆନ୍ ଗେମ୍ସ ପାଇଁ ପୂର୍ବରୁ ନାଗୋୟାରେ ପହଞ୍ଚିଥିବା ପ୍ରାୟ ୪୦୦ ଆଥ୍ଲେଟ୍ ଓ ଅଧିକାରୀଙ୍କୁ ଅସ୍ଥାୟୀ ଭାବେ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।
ଗୋଟିଏ ଘଣ୍ଟାରେ ୧୦୦ ମିମିରୁ ଅଧିକ ବର୍ଷା
ସେପ୍ଟେମ୍ବର ୮ ତାରିଖରେ ନାଗୋୟାରେ ଅସାଧାରଣ ଭାବେ ପ୍ରବଳ ବର୍ଷା ହୋଇଥିଲା। ଏକ ଘଣ୍ଟାରେ ପ୍ରାୟ ୧୦୪.୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଦୈନିକ ବର୍ଷା ପରିମାଣ ୨୧୯.୫ ମିମିରେ ପହଞ୍ଚିଥିଲା। ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲା ଏବଂ ଯାତାୟାତ ବ୍ୟବସ୍ଥା ବ୍ୟାହତ ହୋଇଥିଲା।
ସହରରେ ଶୋନାଇ ନଦୀ ପାଇଁ ସର୍ବୋଚ୍ଚ ସ୍ତରର ବନ୍ୟା ସତର୍କତା ଜାରି କରାଯାଇଥିଲା। ପ୍ରାୟ ୩,୫୦୦ ଲୋକ ଜରୁରୀ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ବସ୍ ଓ ମେଟ୍ରୋ ସେବା ମଧ୍ୟ କିଛି ସମୟ ପାଇଁ ବନ୍ଦ ରହିଥିଲା।
ଏସିଆନ୍ ଗେମ୍ସ ଭେନ୍ୟୁରେ ପାଣି ପଶିଲା
ପ୍ରବଳ ବର୍ଷାର ପ୍ରଭାବ ଏସିଆନ୍ ଗେମ୍ସ ପାଇଁ ପ୍ରସ୍ତୁତ ହୋଇଥିବା କିଛି କ୍ରୀଡ଼ା ଭେନ୍ୟୁରେ ମଧ୍ୟ ଦେଖାଦେଇଛି। କେତେକ ଭେନ୍ୟୁର ଛାତରୁ ପାଣି ଲିକ୍ ହୋଇଥିଲା। ତେବେ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଆଥ୍ଲେଟ୍ଙ୍କ ସୁରକ୍ଷା ସମ୍ପର୍କିତ ଗୁରୁତର ଘଟଣା ଘଟିନଥିବା ଅଧିକାରୀମାନେ କହିଛନ୍ତି।
ବନ୍ୟା ସମୟରେ ଅସ୍ଥାୟୀ ଆବାସରେ ରହୁଥିବା ପ୍ରାୟ ୪୦୦ ଆଥ୍ଲେଟ୍ ଓ କର୍ମଚାରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଉଚ୍ଚସ୍ଥାନକୁ ନିଆଯାଇଥିଲା। ପରେ ସ୍ଥିତି ସୁଧୁରିବା ପରେ ସେମାନେ ନିଜ ଆବାସକୁ ଫେରିଥିଲେ।
ନିର୍ଦ୍ଧାରିତ ସମୟରେ ହେବ ଏସିଆନ୍ ଗେମ୍ସ
ନାଗୋୟାରେ ବନ୍ୟା ସ୍ଥିତି ନେଇ ଚିନ୍ତା ବଢ଼ିଥିଲେ ମଧ୍ୟ ଏସିଆନ୍ ଗେମ୍ସର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ନାଗୋୟା ମେୟର ଇଚିରୋ ହିରୋସାୱା କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତି ଖେଳ ଆୟୋଜନକୁ ପ୍ରଭାବିତ କରିବା ଭଳି ଗମ୍ଭୀର ନୁହେଁ। ସେପ୍ଟେମ୍ବର ୧୯ରେ ଉଦ୍ଘାଟନୀ ଉତ୍ସବ ସହ ଏସିଆନ୍ ଗେମ୍ସ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।
୨୦୨୬ ଏସିଆନ୍ ଗେମ୍ସ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ନାଗୋୟା ଓ ଏହାର ଆଖପାଖ ଅଞ୍ଚଳରେ ଆୟୋଜିତ ହେବ। ଏଥିରେ ୪୫ଟି ଦେଶ ଓ ଅଞ୍ଚଳରୁ ୧୧ ହଜାରରୁ ଅଧିକ ଆଥ୍ଲେଟ୍ ଅଂଶଗ୍ରହଣ କରିବାର ଆଶା ରହିଛି।




