ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଅନ୍ୟତମ ସଫଳ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେଙ୍କ ଦୀର୍ଘ ଦିନର ଯାତ୍ରାରେ ବିରାମ ଲାଗିଛି। ହେଡ୍ କୋଚ୍ ପଦରୁ ଅଲଗା ହେବା ପାଇଁ ଉଭୟ ଦଳ ଏବଂ ଜୟବର୍ଦ୍ଧନେ ଆପୋଷ ସହମତି ପ୍ରକାଶ କରିଛନ୍ତି। ନୂଆ ସିଜନ୍ ପୂର୍ବରୁ ଦଳ ନିଜ ନେତୃତ୍ୱ ଓ କୋଚିଂ ଷ୍ଟାଫ୍‌ରେ ବଡ଼ ଧରଣର ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚଳାଇଛି।

୨୦୨୬ ଆଇପିଏଲ୍ ସିଜନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ଦଳ ମାତ୍ର ୪ଟି ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ସିଜନ୍ ଶେଷ କରିଥିଲା। ଖେଳାଳିଙ୍କ ଆଘାତ ସମସ୍ୟା, ଉପଲବ୍ଧତା ଏବଂ ଡ୍ରେସିଂ ରୁମ୍‌ରେ ଦେଖାଦେଇଥିବା ବିବାଦ ଯୋଗୁଁ ଦଳ ଏହି ସଙ୍କଟ ଦେଇ ଗତି କରିଥିଲା। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନୂଆ ହେଡ୍ କୋଚ୍ ଚୟନ ପାଇଁ ଫ୍ରାଞ୍ଚାଇଜି କିଛି ନାମ ଚୂଡ଼ାନ୍ତ କରିସାରିଛି, ଯାହାଙ୍କର ସାକ୍ଷାତକାର ଆସନ୍ତା ସପ୍ତାହରେ ହେବ।

ଜୟବର୍ଦ୍ଧନେ ୨୦୧୭ ମସିହାରେ ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ହେଡ୍ କୋଚ୍ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ମାର୍ଗଦର୍ଶନରେ ଦଳ ୨୦୧୭, ୨୦୧୯ ଏବଂ ୨୦୨୦ ମସିହାରେ ଆଇପିଏଲ୍ ଚାମ୍ପିୟନ୍ ହୋଇଥିଲା। ଏହାପରେ ସେ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ୍ ହେଡ୍ ଅଫ୍ ପରଫୋର୍ମାନ୍ସ ଭାବେ କାର୍ଯ୍ୟ କରିବା ପରେ ୨୦୨୪ ରେ ପୁନର୍ବାର ହେଡ୍ କୋଚ୍ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ।

ନିଜର ବିଦାୟକାଳୀନ ବାର୍ତ୍ତାରେ ଜୟବର୍ଦ୍ଧନେ କହିଛନ୍ତି ଯେ, “ମୁମ୍ବାଇ ଇଣ୍ଡିଆନ୍ସ ଗତ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ମୋ ଯାତ୍ରାର ଏକ ଅତ୍ୟନ୍ତ ବିଶେଷ ଅଂଶ ହୋଇ ରହିଛି। ଆମେ ସାଙ୍ଗ ହୋଇ ଅନେକ ଅବିସ୍ମରଣୀୟ ମୁହୂର୍ତ୍ତ ବିତାଇଛୁ। ନୀତା ଅମ୍ବାନୀ ଏବଂ ଆକାଶ ଅମ୍ବାନୀଙ୍କ ଅବିଚଳିତ ବିଶ୍ୱାସ ଓ ସହଯୋଗ ପାଇଁ ମୁଁ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ମୁଁ ଏକ ବଡ଼ ଗୌରବର ସହ ଦାୟିତ୍ୱରୁ ବିଦାୟ ନେଉଛି।”

ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଏମ୍. ଅମ୍ବାନୀ ଜୟବର୍ଦ୍ଧନେଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, “ମାହେଲାଙ୍କ ଶାନ୍ତ ନେତୃତ୍ୱ, ନିଷ୍ଠା ଏବଂ କ୍ରିକେଟ୍ ପ୍ରତି ଗଭୀର ଭଲପାଇବା ଦଳ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା। ସେ ସଦାସର୍ବଦା ଆମ #OneFamily ର ଏକ ସ୍ୱତନ୍ତ୍ର ଅଂଶ ହୋଇ ରହିବେ।”