ରୋହିତ-ରିକେଲଟନଙ୍କ ବିସ୍ଫୋରକ ବ୍ୟାଟିଂ: ଲକ୍ଷ୍ନୌକୁ ୬ ୱିକେଟରେ ହରାଇଲା ମୁମ୍ବାଇ, ରଘୁ ଶର୍ମାଙ୍କ ଭାବପ୍ରବଣ ସେଲିବ୍ରେସନ

ଆଇପିଏଲ ୨୦୨୬ର ୪୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (MI) ଏକ ଦମଦାର ବିଜୟ ହାସଲ କରିଛି। ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ମୁମ୍ବାଇ ୬ ୱିକେଟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (LSG) କୁ ପରାସ୍ତ କରିଛି।

ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୨୮ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ତେବେ ୨୨୯ ରନର ଏହି କଠିନ ଲକ୍ଷ୍ୟକୁ ପିଛା କରି ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଏବଂ ରିୟାନ ରିକେଲଟନ ପଡ଼ିଆର ଚାରିଆଡ଼େ ଚୌକା ଓ ଛକା ବର୍ଷା କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ମାତ୍ର କିଛି ଓଭରରେ ୧୪୩ ରନର ଭାଗିଦାରୀ କରି ମୁମ୍ବାଇ ପାଇଁ ବିଜୟର ମୂଳଦୁଆ ପକାଇଥିଲେ।

ରୋହିତ ଶର୍ମା ୪୪ ବଲରେ ୮୪ ରନ୍ କରିଥିବା ବେଳେ ରିୟାନ ରିକେଲଟନ ୩୨ ବଲରେ ୮୩ ରନ୍ କରିଥିଲେ। ଏହି ମ୍ୟାଚରେ ରୋହିତ ଶର୍ମା ପ୍ରଥମେ ପ୍ଲେଇଂ-୧୧ର ଅଂଶ ନଥିଲେ। ମୁମ୍ବାଇ ବୋଲିଂ କରୁଥିବା ବେଳେ ରଘୁ ଶର୍ମା ପଡ଼ିଆରେ ଥିଲେ, କିନ୍ତୁ ବ୍ୟାଟିଂ ସମୟରେ ରୋହିତଙ୍କୁ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ପଡ଼ିଆକୁ ଓହ୍ଲାଇଥିଲା ଦଳ, ଯାହା ସମ୍ପୂର୍ଣ୍ଣ ସଫଳ ହୋଇଥିଲା।

ମ୍ୟାଚର ସବୁଠାରୁ ଚର୍ଚ୍ଚିତ ମୁହୂର୍ତ୍ତ ଥିଲା ଯୁବ ଖେଳାଳି ରଘୁ ଶର୍ମାଙ୍କ ୱିକେଟ ସେଲିବ୍ରେସନ। ସେ ଲକ୍ଷ୍ନୌର ବ୍ୟାଟର ଅକ୍ଷତ ରଘୁବଂଶୀଙ୍କୁ ଆଉଟ୍ କରିବା ପରେ ନିଜ ପକେଟରୁ ଏକ ଚିଠି (Note) ବାହାର କରି କ୍ୟାମେରାକୁ ଦେଖାଇଥିଲେ। ସେଥିରେ ସେ ନିଜର ୧୫ ବର୍ଷର ସଂଘର୍ଷ ଓ ଅପେକ୍ଷା ବିଷୟରେ ଲେଖିବା ସହ ନୋଟରେ ସେ ଜୟ ଶ୍ରୀ ରାମ ଲେଖିଥିବା ବେଳେ ଗୁରୁଦେବଙ୍କ ଆଶୀର୍ବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ଧନ୍ୟବାଦ ଜଣାଇଥିଲେ।

ମୁମ୍ବାଇ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା। ଗତ ମ୍ୟାଚରେ ସେ କୌଣସି ୱିକେଟ ପାଇନଥିବା ବେଳେ ଏହି ମ୍ୟାଚରେ ସେ ନିଜର ସଫଳତା ପାଇଁ ଚର୍ଚ୍ଚାରେ ରହିଛନ୍ତି। ନିକୋଲାସ ପୁରନ (୬୩ ରନ୍) ଏବଂ ମିଚେଲ ମାର୍ଶ (୪୪ ରନ୍) ଙ୍କ ଯୋଗୁଁ ଦଳ ଏକ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା।ମୁମ୍ବାଇ ୧୮.୪ ଓଭରରେ ୪ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।