ବେଙ୍ଗାଲୁରୁ: ଲଗାତାର ଦ୍ୱିତୀୟ ଥର ପାଇଁ ଆଇପିଏଲ୍‌ ଟ୍ରଫି ଜିତିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହର ଲହର ଦେଖାଦେଇଥିଲେ ମଧ୍ୟ ଏଥର କୌଣସି ବିଜୟ ଶୋଭାଯାତ୍ରା ଆୟୋଜନ ହେବ ନାହିଁ। ଆର୍‌ସିବି ଓ କର୍ଣ୍ଣାଟକ କ୍ରିକେଟ୍‌ ସଂଘ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି।

ରବିବାର ମଧ୍ୟରାତ୍ରିରେ ବେଙ୍ଗାଲୁରୁ ସହ ସମଗ୍ର କର୍ଣ୍ଣାଟକରେ ପ୍ରଶଂସକମାନେ ବିଜୟ ଉତ୍ସବ ପାଳନ କରିଥିଲେ। କିନ୍ତୁ ଗତ ବର୍ଷର ଅନୁଭବକୁ ଦୃଷ୍ଟିରେ ରଖି ଏଥର ଶୋଭାଯାତ୍ରା ନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ବିଜୟ ଶୋଭାଯାତ୍ରା ବାତିଲ ପଛରେ ପ୍ରଥମ ବଡ଼ କାରଣ ହେଉଛି ସୁରକ୍ଷା। ଗତ ବର୍ଷ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ ନିକଟରେ ବିଜୟ ଉତ୍ସବ ବେଳେ ଘଟିଥିବା ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥର ସେଭଳି ପରିସ୍ଥିତିର ପୁନରାବୃତ୍ତି ନ ହେଉ ବୋଲି ପ୍ରଶାସନ ଓ ଦଳ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି।

ଏହା ପରେ ଆର୍‌ସିବି ପକ୍ଷରୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ ଘରେ ରହି ସୁରକ୍ଷିତ ଭାବେ ବିଜୟ ଉତ୍ସବ ପାଳନ କରନ୍ତୁ। ପୁଲିସ ମଧ୍ୟ ରାସ୍ତାରେ ବଡ଼ ଧରଣର ଜମାୟେତକୁ ନିରୁତ୍ସାହିତ କରୁଛି।

ଦ୍ୱିତୀୟ କାରଣ ହେଉଛି କର୍ଣ୍ଣାଟକର ନୂଆ ସରକାର ଗଠନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ। ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣକୁ ନେଇ ବେଙ୍ଗାଲୁରୁରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଲୋକସମାଗମ ହେବାର ଆଶଙ୍କା ରହିଥିବାରୁ ପୁଲିସ ପକ୍ଷରୁ ଅତିରିକ୍ତ ସାବଧାନତା ଗ୍ରହଣ କରାଯାଇଛି।

ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ ଏବଂ ଶପଥଗ୍ରହଣ ସ୍ଥଳ ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ଗହଳି ସମ୍ଭାବନା ଥିବାରୁ ଶୋଭାଯାତ୍ରା ପାଇଁ ସୁରକ୍ଷା ଅନୁମତି ମିଳିନଥିବା ସୂଚନା ମିଳିଛି।