ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ପ୍ରଚଣ୍ଡ ଲହର ସାମ୍ନାରେ ମମତା ବାନାର୍ଜୀଙ୍କ ଟିଏମସି (TMC) ତାସର ଘର ଭଳି ଭୁଶୁଡ଼ି ପଡ଼ିଛି। ରାଜ୍ୟରେ ବିଜେପି ଦୁଇ-ତୃତୀୟାଂଶ ବହୁମତ ନିକଟରେ ପହଞ୍ଚିଛି। ବର୍ତ୍ତମାନର ଧାରା ଅନୁଯାୟୀ, ବିଜେପି ୧୯୫ଟି ଆସନରେ ଆଗୁଆ ଥିବାବେଳେ ତୃଣମୂଳ କଂଗ୍ରେସ ମାତ୍ର ୯୩ଟି ଆସନରେ ସୀମିତ ରହିଛି।
ଅନ୍ୟପଟେ ବାମଦଳ ମାତ୍ର ୩ଟି ଆସନରେ ଆଗୁଆ ଅଛନ୍ତି ଏବଂ କଂଗ୍ରେସର ଖାତା ଶୂନ ରହିବା ପରି ମନେହେଉଛି। ଅନ୍ୟାନ୍ୟ ପ୍ରାର୍ଥୀମାନେ ୨ଟି ଆସନରେ ଆଗୁଆ ଅଛନ୍ତି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ବିଜେପି ‘ଡବଲ ସେଞ୍ଚୁରୀ’ (୨୦୦ ଆସନ) ଠାରୁ ମାତ୍ର ୫ଟି ଆସନ ଦୂରରେ ଅଛି।
ହାଇପ୍ରୋଫାଇଲ୍ ଆସନର ସ୍ଥିତି:
ଭବାନୀପୁର: ଏହି ଭିଭିଆଇପି ଆସନରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୩,୮୪୨ ଭୋଟରେ ଆଗୁଆ ଅଛନ୍ତି।
ନନ୍ଦୀଗ୍ରାମ: ଶୁଭେନ୍ଦୁ ଅଧିକାରୀ ନିଜର ଦ୍ୱିତୀୟ ଆସନ ନନ୍ଦୀଗ୍ରାମରୁ ୮,୭୦୨ ଭୋଟରେ ଆଗୁଆ ଅଛନ୍ତି।
ବହରମପୁର: କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ ବିଜେପି ପ୍ରାର୍ଥୀ ଶୁଭ୍ରତ ମୈତ୍ରାଙ୍କ ଠାରୁ ୫,୬୬୯ ଭୋଟରେ ପଛୁଆ ଅଛନ୍ତି।
ପାଣିହାଟୀ: ଆର.ଜି. କର ପୀଡ଼ିତାଙ୍କ ମାଆ (ବିଜେପି ପ୍ରାର୍ଥୀ) ପ୍ରାୟ ୧୦ ହଜାର ଭୋଟରେ ଆଗୁଆ ରହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଅଞ୍ଚଳରେ ‘ଝାଲମୁଢି’ ଖାଇଥିଲେ, ସେହି ଜଙ୍ଗଲମହଲ ଅଞ୍ଚଳର ସମସ୍ତ ୪ଟି ଆସନ (ଝାଡ଼ଗ୍ରାମ, ବିନପୁର, ଗୋପୀବଲ୍ଲଭପୁର ଏବଂ ନୟାଗ୍ରାମ)ରେ ବିଜେପି ଆଗୁଆ ଅଛି। ରେଜିନଗରରୁ ହୁମାୟୁନ କବୀର ବିଜେପିର ବପନ ଘୋଷଙ୍କ ଠାରୁ ୩୨,୭୩୮ ଭୋଟରେ ଆଗୁଆ ଅଛନ୍ତି।
ବିଜେପିର ଏହି ବଡ଼ ସଫଳତା ଦେଖି କର୍ମକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇ ବିଜୟ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି। ମମତା ବାନାର୍ଜୀଙ୍କ ବାସଭବନ ବାହାରେ ବିଜେପି କର୍ମକର୍ତ୍ତାମାନେ ‘ଜୟ ଶ୍ରୀରାମ’ ନାରା ଦେଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କର୍ମକର୍ତ୍ତା ଓ ପ୍ରାର୍ଥୀମାନଙ୍କୁ ଶେଷ ପର୍ଯ୍ୟନ୍ତ ବୁଥ୍ ନ ଛାଡ଼ିବାକୁ ଅପିଲ୍ କରିଛନ୍ତି।




