ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP)ର ‘ସଂସଦ ଚଲୋ’ ଆନ୍ଦୋଳନ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସ ଲାଠିଚାର୍ଜକୁ ନେଇ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA) ଗଭୀର ଉଦ୍ବେଗ ପ୍ରକାଶ କରିଛି। ସଂଗଠନ ପକ୍ଷରୁ ଜାରି ହୋଇଥିବା ବିବୃତିରେ ପ୍ରଦର୍ଶନକାରୀଙ୍କ ବିରୋଧରେ ଅତ୍ୟଧିକ ବଳ ପ୍ରୟୋଗ ହୋଇଥିବା ଅଭିଯୋଗ କରାଯାଇଛି।

ବାର୍ ଆସୋସିଏସନ୍ କହିଛି ଯେ, ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଲାଠିଚାର୍ଜ ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ସଙ୍ଗତିପୂର୍ଣ୍ଣ ନୁହେଁ। ଏପରି ଘଟଣାକୁ ସଂଗଠନ ତୀବ୍ର ନିନ୍ଦା କରିବା ସହ ଏହାକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଛି।

SCBA ନିଜ ବୟାନରେ ଦାବି କରିଛି ଯେ, ଏହି ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯାଇ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। କୌଣସି ପ୍ରକାର ଭେଦଭାବ ବିନା ତଦନ୍ତ କରାଯିବା ଉଚିତ ବୋଲି ମଧ୍ୟ ସଂଗଠନ କହିଛି।

ବାର୍ ଆସୋସିଏସନ୍ ଆହୁରି କହିଛି ଯେ, ଆହତ ଛାତ୍ରଛାତ୍ରୀ ଏବଂ ଆଇନ ବୃତ୍ତି ସହ ଜଡ଼ିତ ଆହତ ବ୍ୟକ୍ତିମାନଙ୍କୁ ଯଥୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ଆବଶ୍ୟକ। ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ମଧ୍ୟ ସଂଗଠନ ଆହ୍ୱାନ କରିଛି।

ଛାତ୍ର ଆନ୍ଦୋଳନକୁ କେନ୍ଦ୍ର କରି ଦେଶରେ ରାଜନୈତିକ ତର୍କ ଜାରି ଥିବା ବେଳେ, ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍‌ର ଏହି ବୟାନ ପ୍ରସଙ୍ଗକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି।