ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ପ୍ରଭାବକୁ ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଶନିବାର ଦିନ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଶକ୍ତି ଏବଂ କୃଷି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଟାଟା ପାୱାରର ସିଇଓ ତଥା ଏମଡି ଡ. ପ୍ରବୀର କୁମାର ସିଂହା ଏବଂ TPCODL ସିଇଓ ଗଜାନନ କାଲେ ଉପସ୍ଥିତ ରହି ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍ ସେବା ପୁନରୁଦ୍ଧାର ଏବଂ ଜରୁରୀକାଳୀନ ପରିଚାଳନା ନେଇ ବ୍ଲୁ-ପ୍ରିଣ୍ଟ ଦାଖଲ କରିଛନ୍ତି।

ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବାର ସମ୍ଭାବନା ଥିବାରୁ TPCODL ଏବଂ TPSODL ପକ୍ଷରୁ ସମସ୍ତ ପୂର୍ବପ୍ରସ୍ତୁତି ସରିଛି। ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ସମ୍ଭାବ୍ୟ ବର୍ଷା ଓ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ଥିବାରୁ କଟା ହୋଇଥିବା ଫସଲକୁ ସୁରକ୍ଷିତ ଘୋଡ଼ାଇ ରଖିବାକୁ ଏବଂ ଯେଉଁ ଫସଲ କଟା ହୋଇନାହିଁ ତାହାକୁ ଏବେ ନକାଟିବାକୁ ଚାଷୀମାନଙ୍କୁ ଆଡଭାଇଜରୀ ଜାରି କରାଯାଇଛି।

“ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରୁଥିବାରୁ ଓଡ଼ିଶା ଉପରେ ଏହାର ବଡ଼ଧରଣର ପ୍ରଭାବ ପଡ଼ିବାର ଆଶଙ୍କା କମ୍ ରହିଛି। ତଥାପି, ଓଡ଼ିଶା ପାଇଁ ବାତ୍ୟା ନୂଆ ନୁହେଁ। ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ଆମେ ଅନେକ ବାତ୍ୟାର ସାମ୍ନା କରିଛୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ‘ଶୂନ୍ୟ ମୃତାହତ’ ଆମର ପ୍ରାଥମିକତା।”

ଶକ୍ତି ସଚିବ, କୃଷି ସଚିବ, OUAT କୁଳପତି ଏବଂ IMD ନିର୍ଦ୍ଦେଶକ ପରିସ୍ଥିତି ଉପରେ କ୍ରମାଗତ ନଜର ରଖିଛନ୍ତି।