ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବା ସହିତ ବାୟୁର ଗୁଣବତ୍ତା ଆହୁରି ଖରାପ ହେବାରେ ଲାଗିଛି। ଶନିବାର ସକାଳ ୮ଟା ୨୦ ମିନିଟ୍ ସୁଦ୍ଧା ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ ୩୨୭ ରେକର୍ଡ କରାଯାଇଛି, ଯାହା ‘ଅତି ଖରାପ’ ବର୍ଗରେ ରହିଛି।

ସହରର ଏକାଧିକ ବାୟୁ ଗୁଣବତ୍ତା ନିରୀକ୍ଷଣ କେନ୍ଦ୍ରରେ ପ୍ରଦୂଷଣ ସ୍ତର ଉଦ୍‌ବେଗଜନକ ସ୍ଥିତିରେ ରହିଛି। ସିରିଫୋର୍ଟରେ ସର୍ବାଧିକ AQI ୩୬୮ ରେକର୍ଡ କରାଯାଇଥିବା ବେଳେ ଚାନ୍ଦିନୀ ଚୌକରେ ୩୬୬, କମନୱେଲଥ୍ ସ୍ପୋର୍ଟସ କମ୍ପ୍ଲେକ୍ସରେ ୩୬୨, ପଞ୍ଜାବୀ ବାଗରେ ୩୬୦, ସିଆରଆରଆଇ ମଥୁରା ରୋଡ୍‌ରେ ୩୫୫ ଏବଂ ପୁସାରେ ୩୫୩ ରେକର୍ଡ ହୋଇଛି। ସେହିପରି ନାଙ୍ଗଲୋଇ (୩୩୦), ଶାଦୀପୁର (୩୨୬), ବସୁନ୍ଧରା ଏନକ୍ଲେଭ୍ (୩୧୫), ତାଲକଟୋରା ଗାର୍ଡେନ୍ (୩୧୬) ଏବଂ ଜାଫରପୁର (୩୧୬) ରେ ମଧ୍ୟ ବାୟୁ ପ୍ରଦୂଷଣ ଅତି ଖରାପ ସ୍ତରରେ ରହିଛି।

ଅନ୍ୟପକ୍ଷରେ, ଦିଲ୍ଲୀରେ ଶୀତର ପ୍ରକୋପ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶୁକ୍ରବାର ଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା, ଯାହା ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ଅଟେ। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଶନିବାର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିପାରେ, କିନ୍ତୁ ଆଗାମୀ କିଛି ଦିନ ମଧ୍ୟରେ ପାରଦ ପୁଣି ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ସକାଳ ସମୟରେ ଘନ କୁହୁଡ଼ି ଓ ଧୂଆଁଳିଆ ପାଗ ଯୋଗୁଁ ଦୃଶ୍ୟମାନତା ହ୍ରାସ ପାଇଛି।

ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ପକ୍ଷରୁ ନଭେମ୍ବର ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଥିବା ନିର୍ମାଣ କାର୍ଯ୍ୟ କଟକଣା ଶୁକ୍ରବାର ଦିନ ହଟାଇ ଦିଆଯାଇଛି। ତେବେ ଦିଲ୍ଲୀ ସରକାରଙ୍କ ଶୀତକାଳୀନ ପ୍ରଦୂଷଣ ନିୟନ୍ତ୍ରଣ ଯୋଜନା ଅଧୀନରେ ଅନ୍ୟାନ୍ୟ କଟକଣା ଆସନ୍ତା ଜାନୁଆରୀ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଡିସେମ୍ବର ୧୦ରୁ ଅଧିକ କଠୋର ନିୟମ ଲାଗୁ କରାଯିବ। ବର୍ତ୍ତମାନ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କଟକଣା ଜାରି ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ୧୦୮ଟି ମେକାନିକାଲ୍ ରୋଡ୍ ସ୍ୱିପିଂ ମେସିନ୍ ନିୟୋଜିତ କରାଯିବା ସହିତ ପ୍ରାୟ ୮୦ ଲକ୍ଷ ବୃକ୍ଷରୋପଣ ଏବଂ ୧,୪୪୦ କିଲୋମିଟରରୁ ଅଧିକ ସଡ଼କର ପୁନଃବିକାଶ କରାଯାଇଛି।