ନୂଆଦିଲ୍ଲୀ: ପାର୍ବଣ ଋତୁରେ ଦୀପାବଳି ଏବଂ ଛଠ ପୂଜା ପାଇଁ ରେଳ ଷ୍ଟେସନଗୁଡ଼ିକରେ ହେଉଥିବା ପ୍ରବଳ ଯାତ୍ରୀ ଭିଡ଼କୁ ସୁଚାରୁରୂପେ ପରିଚାଳନା କରିବା ଏବଂ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ରେଳ ସୁରକ୍ଷା ବଳ ଆନୁକୂଲ୍ୟରେ ଆୟୋଜିତ ୮ମ ସର୍ବଭାରତୀୟ ସରକାରୀ ରେଳ ପୁଲିସ ମୁଖ୍ୟ ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଯାଇଛି।
ଏହି ଉଚ୍ଚସ୍ତରୀୟ ବୈଠକରେ RPF, GRP ଏବଂ ରାଜ୍ୟ ପୁଲିସ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା, ନୂତନ ସୁରକ୍ଷା ଆହ୍ୱାନର ମୁକାବିଲା କରିବା ଏବଂ ଯାତ୍ରୀସେବାରେ ସୁଧାର ଆଣିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଦିଲ୍ଲୀ ଡିଭିଜନ ପକ୍ଷରୁ ଦିଲ୍ଲୀ ପୁଲିସ, GRP ଏବଂ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ସିସିଟିଭି (CCTV) ନଜରଦାରି, ନିରନ୍ତର ସୂଚନା ପ୍ରସାରଣ, ବାରିକେଡିଂ, ସ୍ୱତନ୍ତ୍ର ହୋଲ୍ଡିଂ ଏରିଆ ଏବଂ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରାଯାଇଛି।
ଦକ୍ଷିଣ-ମଧ୍ୟ ରେଳପଥ ପକ୍ଷରୁ ମହିଳା ପୁଲିସ ନେତୃତ୍ୱରେ ‘ପିଙ୍କ ପାଟ୍ରୋଲ’ ଆରମ୍ଭ କରାଯାଇଛି। ଏଥିରେ ଡ୍ରୋନ୍ ଜରିଆରେ ଆକାଶମାର୍ଗରୁ ନଜରଦାରି ସହ ‘ଶକ୍ତି’ (SHAKTI) ଟିମ୍ ଗ୍ରାଉଣ୍ଡରେ ତୁରନ୍ତ ପଦକ୍ଷେପ ନେବେ।
ସେଣ୍ଟ୍ରାଲ ରେଳପଥର ପୁଣେ ଡିଭିଜନ ଦ୍ୱାରା ‘ପ୍ରୋଜେକ୍ଟ ଦିଶା’ (DISHA) କାର୍ଯ୍ୟକାରୀ କରାଯାଉଛି। ଏହା ମାଧ୍ୟମରେ ରେଳ ଲାଇନ୍ ନିକଟରେ ରହୁଥିବା ଶିଶୁ ଓ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବା ସହ ଟ୍ରେନ୍ ଉପରକୁ ପଥର ମାଡ଼, ଚୋରି, ଓ ବେଆଇନ ପ୍ରବେଶକୁ ରୋକାଯାଉଛି।
ଯାତ୍ରୀଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ CRIS ଦ୍ୱାରା GRP କର୍ମଚାରୀଙ୍କୁ ‘ରେଲମଦଦ୍’ ପ୍ଲାଟଫର୍ମରେ ଯୋଡ଼ାଯାଇଛି। ଏହାଦ୍ୱାରା ଅଭିଯୋଗର ସୂଚନା ତୁରନ୍ତ ଆଦାନପ୍ରଦାନ ହୋଇପାରିବ।
ଏହି ସମ୍ମିଳନୀରେ RPF ମହାନିର୍ଦ୍ଦେଶକ (DG) ସୋନାଲି ମିଶ୍ର, ରେଳବାଇ ବୋର୍ଡ ଚେୟାରମ୍ୟାନ ଓ CEO ସତୀଶ କୁମାରଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର GRP ମୁଖ୍ୟମାନେ ଯୋଗଦେଇଥିଲେ। ପାର୍ବଣ ସମୟରେ ଅଗ୍ରିମ ଯୋଜନା ଓ ଯାତ୍ରୀମାନଙ୍କୁ ସୁରକ୍ଷିତ ଯାତ୍ରା ଯୋଗାଇଦେବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ରେଳ ମନ୍ତ୍ରଣାଳୟ ଦର୍ଶାଇଛି।




