ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ପାନାମା ପତାକାବାହୀ ବାଣିଜ୍ୟିକ ଜାହାଜ ଉପରେ ମଙ୍ଗଳବାର ପ୍ରୋଜେକ୍ଟାଇଲ୍ ଆକ୍ରମଣ ହୋଇଛି। ଏଥିରେ ୧୨ ଜଣ କ୍ରୁ ସଦସ୍ୟ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ନାଗରିକ ଅଛନ୍ତି। ଭାରତୀୟ ବିଦେଶ ମନ୍ତ୍ରଣାଳୟ ଘଟଣାକୁ ନିନ୍ଦା କରିଛି।

ଆକ୍ରମଣର ଶିକାର ହୋଇଥିବା ଜାହାଜର ନାମ MT On Peace। ଏଥିରେ ମୋଟ ୧୯ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୧୭ ଜଣ ଭାରତୀୟ ଥିବା ବିଦେଶ ମନ୍ତ୍ରଣାଳୟ କହିଛି। ଜାହାଜଟି ଓମାନ୍‌ ଉପକୂଳ ନିକଟରେ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏହା ଉପରେ ପ୍ରୋଜେକ୍ଟାଇଲ୍ ଆସି ମାଡ଼ ହୋଇଥିଲା।

ଓମାନ୍‌ରେ ଚାଲିଛି ଚିକିତ୍ସା

ଆକ୍ରମଣ ପରେ ଆହତ କ୍ରୁ ସଦସ୍ୟମାନଙ୍କୁ ଓମାନ୍‌ କର୍ତ୍ତୃପକ୍ଷଙ୍କ ସହଯୋଗରେ ଉଦ୍ଧାର କରାଯାଇଛି। ସେମାନଙ୍କୁ ଓମାନ୍‌ର ଖାସାବ୍‌କୁ ନିଆଯାଇ ସେଠାରେ ଚିକିତ୍ସା କରାଯାଉଛି। ଆହତ ଭାରତୀୟ ନାବିକମାନଙ୍କ ସ୍ଥିତି ସମ୍ପର୍କରେ ଏଯାବତ୍‌ ଅଧିକ ବିବରଣୀ ସାର୍ବଜନୀନ କରାଯାଇନାହିଁ।

ଆକ୍ରମଣ ବନ୍ଦ ପାଇଁ ଭାରତର ଆହ୍ୱାନ

ବାଣିଜ୍ୟିକ ଜାହାଜ ଉପରେ ଲଗାତାର ହେଉଥିବା ଆକ୍ରମଣକୁ ନେଇ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି। ବାଣିଜ୍ୟିକ ଜାହାଜ, ନାବିକ ଓ ସାଧାରଣ ନାଗରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରିବା ବନ୍ଦ ହେବା ଦରକାର ବୋଲି ବିଦେଶ ମନ୍ତ୍ରଣାଳୟ କହିଛି। ଏଥିସହ ଆନ୍ତର୍ଜାତୀୟ ଜଳପଥରେ ନିରାପଦ ନୌଚଳାଚଳ ଓ ବାଣିଜ୍ୟ ପୁନଃ ସ୍ୱାଭାବିକ କରିବାକୁ ଭାରତ ଆହ୍ୱାନ ଜଣାଇଛି।

ଭାରତ ଆହତ ନାବିକମାନଙ୍କୁ ଉଦ୍ଧାର ଓ ଚିକିତ୍ସା ସହାୟତା ଯୋଗାଇଥିବାରୁ ଓମାନ୍‌ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛି। ହର୍ମୁଜ୍ ପ୍ରଣାଳୀରେ ବଢ଼ୁଥିବା ଆକ୍ରମଣ ଯୋଗୁଁ ଅଞ୍ଚଳର ସାମୁଦ୍ରିକ ନିରାପତ୍ତାକୁ ନେଇ ଚିନ୍ତା ବଢ଼ିଛି।