ଲଣ୍ଡନ: ବ୍ରିଟେନର ୬୫ ବର୍ଷୀୟ ମାଷ୍ଟର ଗାର୍ଡନର ଇଆନ୍ ପାଟନ୍ ଏକ ବିଶାଳକାୟ କଖାରୁ ଉତ୍ପାଦନ କରି ଗିନିଜ୍ ୱାର୍ଲ୍ଡ ରେକର୍ଡସରେ ନିଜ ନାମ ସାମିଲ କରିଛନ୍ତି।’ବାଘିରା’ ନାମରେ ନାମିତ ଏହି ଆଟଲାଣ୍ଟିକ୍ ଜାଏଣ୍ଟ କଖାରୁର ଓଜନ ୧,୨୯୫.୮ କିଲୋଗ୍ରାମ (ପ୍ରାୟ ୧.୩ ଟନ୍) ଏବଂ ଏହାର ପରିଧି ୨୦ ଫୁଟରୁ ଅଧିକ ରହିଛି। ଏହାକୁ ପୃଥିବୀର ସବୁଠାରୁ ଓଜନିଆ ଫଳ ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡସ ଏବଂ ଗ୍ରେଟ୍ ପମ୍ପକିନ୍ କମନୱେଲଥ୍ ପକ୍ଷରୁ ସ୍ୱୀକୃତି ମିଳିଛି।
ଏହି ବିଶାଳକାୟ କଖାରୁ ଚାଷ କରିବା କୌଣସି ସହଜ କାମ ନଥିଲା। ଇଆନ୍ ଦୁଇ ମାସ ଧରି ପ୍ରତିଦିନ ୫ରୁ ୬ ଘଣ୍ଟା କଣ୍ଟ୍ରୋଲଡ୍ ଗ୍ରୀନ୍ହାଉସ୍ରେ ଏହାର ଦେଖାଶୁଣା କରୁଥିଲେ। ବୃଦ୍ଧି ସମୟରେ ଏହି କଖାରୁଟି ଦୈନିକ ପ୍ରାୟ ୬୦ ପାଉଣ୍ଡ (ପ୍ରାୟ ୨୭ କିଲୋ) ଓଜନ ବୃଦ୍ଧି କରୁଥିଲା। ବିଶେଷ ସାର, ପର୍ଯ୍ୟାପ୍ତ ଜଳସେଚନ ଏବଂ ଲତାକୁ ମାଟିରେ ପୋତି ନୂଆ ଚେର ସୃଷ୍ଟି କରିବା ପଦ୍ଧତି ଦ୍ୱାରା ଏହା ସମ୍ଭବ ହୋଇପାରିଥିଲା।
କଖାରୁଟି ଏତେ ବଡ଼ ଓ ଓଜନିଆ ଥିଲା ଯେ ଏହାକୁ ଟେକିବା ପାଇଁ ବ୍ୟବହୃତ ଫୋର୍କଲିଫ୍ଟ ମେସିନ୍ର ୱାର୍ଣ୍ଣିଂ ଲାଇଟ୍ଗୁଡ଼ିକ କ୍ରିସମାସ୍ ଟ୍ରି ଭଳି ଜଳିବାକୁ ଲାଗିଥିଲା।
ନିଜର ଯାଆଁଳା ଭାଇଙ୍କ ଅବସର ପରେ ଇଆନ୍ ଏକାକୀ ପ୍ରଥମ ସିଜନ୍ରେ ହିଁ ଏହି ସଫଳତା ହାସଲ କରିଛନ୍ତି। ବାଘିରାରୁ ସଂଗୃହିତ ୨,୬୦୦ରୁ ଅଧିକ ବିହନ ସାହାଯ୍ୟରେ ସେ ଆଗାମୀ ସିଜନ୍ରେ ୧,୩୬୦ କିଲୋଗ୍ରାମରୁ ଅଧିକ ଓଜନର କଖାରୁ ଫଳାଇବାକୁ ଲକ୍ଷ୍ୟ ରଖିଛନ୍ତି।




