ବେଜିଂ: Hunan Provinceରେ ଥିବା ଏକ ବାଣ କାରଖାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଚୀନ୍‌କୁ ହତବାକ କରିଦେଇଛି। ଏହି ଦୁର୍ଘଟଣାରେ କମ୍‌ ସେ କମ୍‌ ୨୧ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୬୧ ଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣା Liuyang ଅଞ୍ଚଳରେ ଥିବା ଏକ ବାଣ ଉତ୍ପାଦନ କାରଖାନାରେ ଘଟିଥିଲା। ବିସ୍ଫୋରଣ ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ୫୦୦ରୁ ଅଧିକ ଉଦ୍ଧାରକାରୀ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବ ପ୍ରାୟ ୩ କିଲୋମିଟର ପରିଧି ମଧ୍ୟରେ ଅନୁଭବ କରାଯାଇଥିଲା। ନିକଟସ୍ଥ ଗ୍ରାମଗୁଡ଼ିକରେ ଘରର କବାଟ ଓ ଝରକା ଭାଙ୍ଗିଯାଇଥିବା ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳର ଲୋକମାନଙ୍କୁ ଅସ୍ଥାୟୀ ଆଶ୍ରୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଛି।

ସରକାରୀ ସୂଚନା ଅନୁଯାୟୀ, Huaseng Fireworks Manufacturing and Display Companyର ଏକ ୱାର୍କସପରେ ବିସ୍ଫୋରଣ ଘଟିଥିଲା। ଘଟଣାର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ଦୁର୍ଘଟଣାକୁ ନେଇ Xi Jinping ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ସହ ନିଖୋଜ ଲୋକଙ୍କୁ ଖୋଜିବା ଏବଂ ଆହତମାନଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇବାକୁ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି।

ଏହା ସହିତ, ଦେଶର ସମସ୍ତ ଶିଳ୍ପ ଉତ୍ପାଦନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ପୁନଃସମୀକ୍ଷା କରିବାକୁ ମଧ୍ୟ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।