ୱାସିଂଟନ୍: ତିବ୍ଦତୀୟ ବୌଦ୍ଧ ଧର୍ମ ଉପରେ ନିୟନ୍ତ୍ରଣ ହାସଲ କରିବା ଏବଂ ସମଗ୍ର ତିବ୍ଦତକୁ କବ୍ଜା କରିବା ପାଇଁ ଚୀନ୍ ସରକାର ପରବର୍ତ୍ତୀ ଦାଲାଇଲାମାଙ୍କ ଚୟନ ପ୍ରକ୍ରିୟାକୁ ନିଜ ହାତକୁ ନେବାକୁ ଚାହୁଁଛନ୍ତି। ତିବ୍ଦତୀୟ କେନ୍ଦ୍ର ପ୍ରଶାସନ ର ନିର୍ବାଚିତ ରାଜନୈତିକ ନେତା ସିକ୍ୟୋଙ୍ଗ ପେନପା ତେରିଂ ୱାସିଂଟନ୍‌ରେ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏହି ସତ୍ୟ ପ୍ରକାଶ କରିଛନ୍ତି।

ପେନପା ତେରିଂ କହିଛନ୍ତି ଯେ ଦାଲାଇଲାମାଙ୍କ ପୁନର୍ଜନ୍ମକୁ ନେଇ ଚାଲିଥିବା ବିବାଦ ବର୍ତ୍ତମାନ ତିବ୍ଦତୀୟ ଏବଂ ଧାର୍ମିକ ସ୍ୱାଧୀନତା ରକ୍ଷା କରୁଥିବା ବିଶ୍ୱର ବିଭିନ୍ନ ଦେଶ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ଚୀନ୍ କର୍ତ୍ତୃପକ୍ଷ ବିଶ୍ୱାସ କରନ୍ତି ଯେ ଯଦି ସେମାନେ ପରବର୍ତ୍ତୀ ଦାଲାଇଲାମାଙ୍କୁ ନିୟନ୍ତ୍ରଣ କରିପାରିବେ, ତେବେ ସେମାନେ ସମଗ୍ର ତିବ୍ଦତ ଉପରେ ନିଜର ପ୍ରଭୁତ୍ୱ ଜାହିର କରିପାରିବେ।

ବିନା ଧାର୍ମିକ ବିଶ୍ୱାସରେ ଚଳୁଥିବା ଏକ ନାସ୍ତିକ ଶାସକ ଦଳ କିପରି ଏକ ପବିତ୍ର ଧାର୍ମିକ ପରମ୍ପରାକୁ ପରିଚାଳନା କରିବାକୁ ଦାବି କରିବ, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ମଠଗୁଡ଼ିକରେ କମ୍ୟୁନିଷ୍ଟ ପାର୍ଟି ପ୍ରତି ବିଶ୍ୱାସ୍ତତା ଦାବି କରାଯାଉଥିବା ଏବଂ ସେଠାରେ ସି ଜିନପିଙ୍ଗଙ୍କ ବିଚାରଧାରା ପଢ଼ାଇବାକୁ ବାଧ୍ୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଦାଲାଇଲାମା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ତାଙ୍କର ପୁନର୍ଜନ୍ମ ଚୀନ୍‌ର ନିୟନ୍ତ୍ରଣାଧୀନ କୌଣସି ସ୍ଥାନରେ ନୁହେଁ, ବରଂ ଏକ “ମୁକ୍ତ ଜଗତ”ରେ ହେବ। ଏହାଛଡ଼ା, ପୂର୍ବରୁ ଦାଲାଇଲାମାଙ୍କ ଦ୍ୱାରା ସ୍ୱୀକୃତ ପାଞ୍ଚନ ଲାମାଙ୍କ ନିଖୋଜ ରହିବା ଏବଂ ତାଙ୍କର ଜୀବିତ ଥିବା କି ନାହିଁ ତାହା ଅଜ୍ଞାତ ରହିବା ଚୀନ୍‌ର ମନ୍ଦ ଉଦ୍ଦେଶ୍ୟକୁ ଆହୁରି ସ୍ପଷ୍ଟ କରୁଛି ବୋଲି ସେ ମତ ଦେଇଛନ୍ତି।

ତିବ୍ଦତୀୟମାନେ ଏହି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଆମେରିକା ଏବଂ ଭାରତ ଭଳି ଦେଶଗୁଡ଼ିକର ସମର୍ଥନ ଗୁରୁତ୍ୱପୂର୍ଣ୍ଣ ବୋଲି ପେନପା ତେରିଂ ମତ ଦେଇଛନ୍ତି। ଆମେରିକା ସରକାର ଦାଲାଇଲାମାଙ୍କ ଉତ୍ତରାଧିକାରୀଙ୍କ ମାମଲାରେ ହସ୍ତକ୍ଷେପ କରୁଥିବା ଚୀନ୍ ଅଧିକାରୀଙ୍କ ଉପରେ କଟକଣା ଲଗାଇବା ପାଇଁ ଆଇନଗତ ବ୍ୟବସ୍ଥା କରିଛନ୍ତି। ଭାରତର ଧାର୍ମିକ ବିବିଧତା ଏବଂ ବିଶ୍ୱାସର ସ୍ୱାଧୀନତା ମଧ୍ୟ ତିବ୍ଦତୀୟଙ୍କ ପାଇଁ ଏକ ବଡ଼ ଶକ୍ତି ବୋଲି ସେ ଦର୍ଶାଇଛନ୍ତି।