ୱାଶିଂଟନ୍: ଆମେରିକାର ନଭେମ୍ବର ମିଡ୍ଟର୍ମ ନିର୍ବାଚନ ପୂର୍ବରୁ ଆମେରିକୀୟ ଭୋଟରଙ୍କ ପାଇଁ ଏକ ବଡ଼ ତଥା ଚାଞ୍ଚଲ୍ୟକର ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନଭେମ୍ବର ନିର୍ବାଚନରେ ଯଦି ରିପବ୍ଲିକାନ୍ ଦଳ କଂଗ୍ରେସର ଉଭୟ ସଦନ (ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଏବଂ ସିନେଟ୍) ଜିତେ, ତେବେ ଆମେରିକାର ପ୍ରତ୍ୟେକ ବାଲିଗ ନାଗରିକଙ୍କୁ $୫,୦୦୦ ଡଲାର (ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କା) ଲେଖାଏଁ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।ଏହି ନଗଦ ପୁରସ୍କାରକୁ ସେ “ଟ୍ରମ୍ପ ଡିଭିଡେଣ୍ଡ” ବୋଲି ଆଖ୍ୟା ଦେଇଛନ୍ତି।
ନର୍ଥ କାରୋଲିନାରେ ରିପବ୍ଲିକାନ୍ ସିନେଟ୍ ପ୍ରାର୍ଥୀ ମାଇକେଲ୍ ୱାଟଲିଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବା ଅବସରରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ବିଦେଶୀ ସାମଗ୍ରୀ ଉପରେ ଲାଗୁ କରାଯାଇଥିବା ବର୍ଦ୍ଧିତ ଆମଦାନୀ ଶୁଳ୍କ କିମ୍ବା ଟ୍ୟାରିଫ୍ରୁ (Tariff) ମିଳୁଥିବା ପ୍ରଚୁର ରାଜସ୍ୱ ମାଧ୍ୟମରେ ଏହି ଆର୍ଥିକ ସହାୟତା ପାଣ୍ଠି ଯୋଗାଡ଼ କରାଯିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
“ଟ୍ୟାରିଫ୍ ଆମକୁ ଧନୀ କରିଛି। ଯଦି ରିପବ୍ଲିକାନ୍ମାନେ ସିନେଟ୍ ଓ ହାଉସ୍ ଜିତନ୍ତି, ତେବେ ଆମେ ପ୍ରତ୍ୟେକ ଆମେରିକୀୟ ବାଲିଗଙ୍କୁ $୫,୦୦୦ ଡଲାର ଲେଖାଏଁ ଦେବୁ, ଯାହାକୁ ‘ଟ୍ରମ୍ପ ଡିଭିଡେଣ୍ଡ’ କୁହାଯିବ,” ବୋଲି ସେ କହିଛନ୍ତି। ଏହି ସହାୟତା ଡେମୋକ୍ରାଟ୍ ଏବଂ ରିପବ୍ଲିକାନ୍ ଉଭୟ ଦଳର ସମର୍ଥକଙ୍କୁ ମିଳିବ ବୋଲି ସେ ସ୍ପଷ୍ଟ କରିଥିଲେ। ତେବେ ଏହି ଯୋଜନାର ଯୋଗ୍ୟତା ନିୟମ, ବଜେଟ୍ ବ୍ୟବସ୍ଥା କିମ୍ବା ଆଇନଗତ ପ୍ରକ୍ରିୟା ସମ୍ପର୍କରେ ସେ କୌଣସି ବିସ୍ତୃତ ତଥ୍ୟ ଦେଇନାହାନ୍ତି।
ଆସନ୍ତା ନଭେମ୍ବର ୩ ନିର୍ବାଚନକୁ ନିଜର ନିର୍ବାଚନ ଭାବି ଭୋଟ୍ ଦେବାକୁ ଟ୍ରମ୍ପ ଭୋଟରଙ୍କୁ ଆହ୍ୱାନ କରିଛନ୍ତି। ଟିପ୍ସ, ଓଭରଟାଇମ୍ ଏବଂ ସୋସିଆଲ ସିକ୍ୟୁରିଟି ଉପରୁ ସ୍ଥାୟୀ ଭାବେ ଟ୍ୟାକ୍ସ ହଟାଇବାକୁ ଆଇନ ଆଣିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ସ୍ୱାସ୍ଥ୍ୟ ବୀମା ବାବଦରେ ବଡ଼ କମ୍ପାନୀଗୁଡ଼ିକୁ ଦିଆଯାଉଥିବା ସରକାରୀ ସହାୟତା ସିଧାସଳଖ ନାଗରିକଙ୍କୁ ଦିଆଯିବ। ଏହା ସହିତ ନିର୍ବାଚନରେ କଠୋର ଭୋଟର ଆଇଡି ନିୟମ ଓ ନାଗରିକତ୍ୱ ପ୍ରମାଣପତ୍ର ବାଧ୍ୟତାମୂଳକ କରିବାକୁ ସେ ଦାବି କରିଛନ୍ତି। ଆମେରିକାରେ ବ୍ୟାଙ୍କ ସୁଧ ହାର ୧ ପ୍ରତିଶତ କିମ୍ବା ତା’ଠାରୁ କମ୍ ରହିବା ଉଚିତ୍ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସଭାରେ ସିନେଟ୍ ପ୍ରାର୍ଥୀ ମାଇକେଲ୍ ୱାଟଲି କହିଥିଲେ ଯେ ଉତ୍ତର କାରୋଲିନାର ପ୍ରତ୍ୟେକ ପରିବାରର ରୋଜଗାର ବୃଦ୍ଧି ଓ ସୁରକ୍ଷା ତାଙ୍କର ମୁଖ୍ୟ ପ୍ରାଥମିକତା। ଅପରପକ୍ଷରେ ଡେମୋକ୍ରାଟ୍ ଦଳ ଜିତିଲେ ଦେଶର ଅର୍ଥନୀତି ଓ ସୀମା ସୁରକ୍ଷା ବିପନ୍ନ ହେବ ବୋଲି ଟ୍ରମ୍ପ ସଚେତନ କରାଇଥିଲେ।




