ୱାଶିଂଟନ୍: ଇରାନ ସହ ଚାଲିଥିବା ସାମରିକ ସଂଘର୍ଷ ଖୁବ୍‌ଶୀଘ୍ର ଶେଷ ହେବ ଏବଂ ଯୁଦ୍ଧ ସମାପ୍ତ ହେବା ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ଦ୍ରୁତ ଗତିରେ ହ୍ରାସ ପାଇବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି। ଏଥିସହିତ ଇରାନକୁ କୌଣସି ପରିସ୍ଥିତିରେ ମଧ୍ୟ ଆଣବିକ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଟେକ୍ସାସ୍‌ର ସାନ ଆଣ୍ଟୋନିଓଠାରେ ଆୟୋଜିତ ଏକ ରିପବ୍ଲିକାନ୍ ପ୍ରଚାର ସମାବେଶରେ ଉଦ୍‌ବୋଧନ ଦେଇ ଟ୍ରମ୍ପ ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ତେହେରାନ୍‌ରୁ ଆସୁଥିବା ପରମାଣୁ ବିପଦକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବା ପାଇଁ ତାଙ୍କ ପ୍ରଶାସନ ସଂକଳ୍ପବଦ୍ଧ।

“ମୁଁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଇରାନ ଯେପରି କଦାପି ପରମାଣୁ ଅସ୍ତ୍ର ନପାଇବ ତାହା ନିଶ୍ଚିତ କରୁଛି। ସେମାନେ ମଧ୍ୟ ଏହା ଭଲ ଭାବେ ଜାଣନ୍ତି। ଆମେ ଶୀଘ୍ର ସେଠାରୁ ବାହାରି ଆସିବୁ ଏବଂ ତୁମେ ଦେଖିବ ଯେ ତେଲ ଦର ପାଣି ଭଳି ତଳକୁ ଖସିବ।”

ପୂର୍ବତନ ଆମେରିକୀୟ ପ୍ରଶାସନଗୁଡ଼ିକ ଇରାନର ପରମାଣୁ ଆକାଂକ୍ଷାକୁ ରୋକିବାରେ ବିଫଳ ହୋଇଥିଲେ ଏବଂ ଏହି କାରଣରୁ ସାମରିକ କାର୍ଯ୍ୟାନୁଷ୍ଠାନ ଅପରିହାର୍ଯ୍ୟ ହୋଇପଡ଼ିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଯୁଦ୍ଧ କାରଣରୁ ତେଲ ଦର ବୃଦ୍ଧି ପାଇଥିଲେ ମଧ୍ୟ ଲୋକଙ୍କ ଆଶଙ୍କା ତୁଳନାରେ ଏହା ଯଥେଷ୍ଟ କମ୍ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ହ୍ୱାଇଟ୍‌ ହାଉସ୍‌ର ଅନ୍ୟ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଦୋହରାଇଛନ୍ତି ଯେ ଯୁଦ୍ଧ ଶେଷ ହେବା ମାତ୍ରେ ତେଲ ଦର ଆଶାତୀତ ଭାବେ କମିବ। ଅନ୍ୟପକ୍ଷରେ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ୍ ମଧ୍ୟ ମଧ୍ୟପ୍ରାଚ୍ୟ ସଂଘର୍ଷ କାରଣରୁ ହିଁ ଶକ୍ତି ସଙ୍କଟ ଓ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ବୋଲି ସ୍ୱୀକାର କରିଛନ୍ତି। ଯୁଦ୍ଧ ଶେଷ ହେବା ପରେ ଶକ୍ତି ବଜାର ସ୍ୱାଭାବିକ ହେବ ଏବଂ ସୁଧ ହାର ମଧ୍ୟ ହ୍ରାସ ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଟ୍ରମ୍ପଙ୍କ ବିଶେଷ ଦୂତ ସ୍ଟିଭ୍ ୱିଟକଫ୍ ଇରାନ ସହ ଚୁକ୍ତି ପାଇଁ ଆଲୋଚନା ଚଳାଇଥିବା ବେଳେ, କେବଳ ଯୁଦ୍ଧ ରୋକିବା ପାଇଁ ଆମେରିକା କୌଣସି ଦୁର୍ବଳ ଚୁକ୍ତି ଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି।