ଜାତିସଂଘ: ଜାତିସଂଘ ନିରାପତ୍ତା ପରିଷଦ (UNSC) ର ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟତା ହାସଲ କରିବା ନିମନ୍ତେ ଭାରତ ଶାନ୍ତିରକ୍ଷା ମିଶନକୁ ମୁଖ୍ୟ ଅଗ୍ରାଧିକାର ଭାବେ ଚିହ୍ନଟ କରିଛି।
ସାଧାରଣ ସଭାର ଚତୁର୍ଥ କମିଟିରେ ଶାନ୍ତିରକ୍ଷା ମିଶନର ସମୀକ୍ଷା ଆଲୋଚନାରେ ଭାଗ ନେଇ ଜାତିସଂଘରେ ଭାରତୀୟ ମିଶନର ସାମରିକ ସୂତ୍ରଧାର କର୍ଣ୍ଣେଲ ତରୁଣେନ୍ଦ୍ର ପ୍ରତାପ ସିଂହ ଏହି ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟକାଳ ପାଇଁ ଆସନ୍ତା ବର୍ଷ ନିରାପତ୍ତା ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ।

କର୍ଣ୍ଣେଲ ସିଂହ କହିଛନ୍ତି ଯେ, “ଶାନ୍ତିରକ୍ଷା ମିଶନକୁ ଆମେ ଜାତିସଂଘର ମୂଳ ଲକ୍ଷ୍ୟର ଏକ ଅପରିହାର୍ଯ୍ୟ ଅଙ୍ଗ ଭାବେ ବିଚାର କରୁ। ସେଥିପାଇଁ ୨୦୨୮-୨୯ UNSC ସଦସ୍ୟତା ପାଇଁ ଏହାକୁ ଭାରତ ଆପଣାର ପ୍ରାଥମିକତା ଭାବେ ସ୍ଥିର କରିଛି। ଭାରତ ଅଧିକ ସମ୍ବଳପୂର୍ଣ୍ଣ, ସୁରକ୍ଷିତ ଏବଂ ବିଶ୍ୱର ସମସ୍ତ ଦେଶର ପ୍ରତିନିଧିତ୍ୱ ଥିବା ଏକ ଶାନ୍ତିରକ୍ଷା ବ୍ୟବସ୍ଥା ନିର୍ମାଣ ପାଇଁ ଦୃଢ଼ ସଂକଳ୍ପବଦ୍ଧ।”




