ଜେରୁସାଲେମ୍: ଇସ୍ରାଏଲର ଜେରୁସାଲେମ୍ରେ ଜଣେ ୪୦ ବର୍ଷୀୟ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟଣାରେ ପୁଲିସ ଜଣେ ୩୧ ବର୍ଷୀୟ ଇସ୍ରାଏଲୀ ନାଗରିକଙ୍କୁ ଗିରଫ କରିଛି। ପୁଲିସର ପ୍ରାରମ୍ଭିକ ତଦନ୍ତରେ ଏହା ଏକ ସନ୍ଦିଗ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଇଥିବା ବେଳେ ଘଟଣାର ପୂର୍ଣ୍ଣ ତଦନ୍ତ ଜାରି ରହିଛି।
ପୁଲିସ ସୂଚନା ଅନୁଯାୟୀ, ଜେରୁସାଲେମ୍ର କାଟାମୋନ୍ ଆବାସିକ ଅଞ୍ଚଳର ଏକ ଘର ଭିତରୁ ଭାରତୀୟ ନାଗରିକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇବା ପରେ ମୋରିଆ ପୁଲିସ ଷ୍ଟେସନର ଅଧିକାରୀ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲେ।
ତଦନ୍ତ ସମୟରେ ପୁଲିସ ଏହି ଘଟଣାକୁ ଏକ ସମ୍ଭାବ୍ୟ ଅପରାଧିକ ହତ୍ୟାକାଣ୍ଡ ଭାବେ ବିବେଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏହି ମାମଲାରେ ଇଲାଟ୍ ଅଞ୍ଚଳର ଜଣେ ୩୧ ବର୍ଷୀୟ ବାସିନ୍ଦାଙ୍କୁ ସନ୍ଦେହଭାଜନ ଭାବେ ଗିରଫ କରାଯାଇଥିବା ବେଳେ ତାଙ୍କୁ ପଚରାଉଚରା ଜାରି ରହିଛି।
ତେବେ ମୃତ ଭାରତୀୟ ନାଗରିକ ଏବଂ ଗିରଫ ହୋଇଥିବା ସନ୍ଦେହଭାଜନଙ୍କ ପରିଚୟ ତଦନ୍ତ ସ୍ୱାର୍ଥରେ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ।
ଘଟଣା ପରେ ଜେରୁସାଲେମ୍ ଜିଲ୍ଲା କମାଣ୍ଡର ଆଭଶାଲୋମ ପେଲେଡ୍ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତର ଅଗ୍ରଗତି ସମୀକ୍ଷା କରିଥିଲେ। ପରେ ମାମଲାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଉଦ୍ଘାଟନ ପାଇଁ ତଦନ୍ତ ଦାୟିତ୍ୱ ଜେରୁସାଲେମ୍ ଜିଲ୍ଲା ସେଣ୍ଟ୍ରାଲ୍ ୟୁନିଟ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ କହିଛି, ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ଜାଣିବା ପାଇଁ ତଦନ୍ତ ଜାରି ରହିଛି।




