ତେହେରାନ: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ଇସ୍ତଫା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ସେ ନିଜେ ସାମ୍ନାକୁ ଆସି ସମସ୍ତ ଅନୁମାନକୁ ଖଣ୍ଡନ କରିଛନ୍ତି। ରାଷ୍ଟ୍ରପତି ସ୍ପଷ୍ଟ କରି କହିଛନ୍ତି ଯେ, ସେ ତାଙ୍କ ପଦବୀ ଛାଡ଼ିନାହାନ୍ତି ଏବଂ ପୂର୍ବବତ୍‌ ଦାୟିତ୍ୱ ପାଳନ କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପେଜେସ୍କିଆନ କହିଛନ୍ତି, “ମୁଁ ମୋର କାମ ଜାରି ରଖିବି ଏବଂ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି।” ତାଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି, ଯେତେବେଳେ ଇରାନର ରାଜନୈତିକ ଓ ଆର୍ଥିକ ପରିସ୍ଥିତିକୁ ନେଇ ଦେଶଭିତରେ ଚର୍ଚ୍ଚା ବୃଦ୍ଧି ପାଇଛି।

ରବିବାର କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ, ରାଷ୍ଟ୍ରପତି ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି ଏବଂ ସର୍ବୋଚ୍ଚ ନେତୃତ୍ୱଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିଛନ୍ତି। ହେଲେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହାକୁ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି କହିଛି।

ରାଷ୍ଟ୍ରପତି କହିଛନ୍ତି ଯେ, ତାଙ୍କ ସରକାର ଦେଶର ସମସ୍ୟା ଲୁଚାଇବା ପରିବର୍ତ୍ତେ ଲୋକଙ୍କ ସମ୍ମୁଖରେ ସ୍ୱଚ୍ଛ ଭାବରେ ଉପସ୍ଥାପନ କରୁଛି। ବର୍ତ୍ତମାନ ସମୟରେ ଜନସାଧାରଣଙ୍କ ସହ ଖୋଲା ଆଲୋଚନା ଓ ଭରସା ରଖିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଇରାନ ରାଷ୍ଟ୍ରପତି କାର୍ଯ୍ୟାଳୟର ମୁଖପାତ୍ର ଫାତେମେହ ମୋହାଜେରାନି ସୋସିଆଲ ମିଡିଆରେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଇସ୍ତଫା ଖବର ଭିତ୍ତିହୀନ ଏବଂ ସେ ଦେଶର ସମସ୍ୟା ସମାଧାନ ପାଇଁ ସକ୍ରିୟ ଭାବେ କାମ କରୁଛନ୍ତି।

ସେହିପରି, ଇରାନର ତସନିମ୍ ନ୍ୟୁଜ୍ ଏଜେନ୍ସି ମଧ୍ୟ ଏହି ଖବରକୁ ଖଣ୍ଡନ କରି କହିଛି ଯେ, ରାଷ୍ଟ୍ରପତି ସାଧାରଣ ଭାବେ ତାଙ୍କର ଦାୟିତ୍ୱ ପାଳନ କରୁଛନ୍ତି ଏବଂ ଇସ୍ତଫା ସମ୍ବନ୍ଧୀୟ ଗୁଜବର କୌଣସି ତଥ୍ୟାଧାର ନାହିଁ।

ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ଧରି ଇରାନର ସାମରିକ ଓ ରାଜନୈତିକ ପ୍ରତିଷ୍ଠାନ ମଧ୍ୟରେ ସମନ୍ୱୟ ଓ କ୍ଷମତା ବଣ୍ଟନକୁ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଥିଲେ ମଧ୍ୟ ସରକାର ପକ୍ଷରୁ କୌଣସି ସଂବିଧାନିକ ପରିବର୍ତ୍ତନ ସୂଚିତ କରାଯାଇନାହିଁ।