ଜେରୁଜେଲମ୍: ଜେଲ୍ରୁ କଏଦୀଙ୍କ ଫେରାର ରୋକିବା ପାଇଁ ଇସ୍ରାଏଲରେ କୁମ୍ଭୀର ମୁତୟନ କରିବାର ଅଜବ ଯୋଜନାକୁ ନେଇ ବିବାଦ ତୀବ୍ର ହୋଇଛି। ଜାତୀୟ ସୁରକ୍ଷାମନ୍ତ୍ରୀ ଇତାମାର ବେନ୍-ଗଭିରଙ୍କ ପ୍ରସ୍ତାବ ଅନୁସାରେ କେତ୍ଜିଓଟ୍ ଜେଲ୍ ଚାରିପାଖରେ ନାଇଲ୍ କୁମ୍ଭୀର ଥିବା ଖାଇ ନିର୍ମାଣ କରିବାକୁ ଯୋଜନା ରହିଛି। ତେବେ ପଶୁ ଅଧିକାର ସଂଗଠନର ଆବେଦନ ପରେ ଜେରୁଜେଲମ୍ ଜିଲ୍ଲା କୋର୍ଟ କୁମ୍ଭୀର ସ୍ଥାନାନ୍ତର ଉପରେ ଅସ୍ଥାୟୀ ରୋକ୍ ଲଗାଇଛନ୍ତି।
୨୧ ମିଲିୟନ୍ ଶେକେଲ୍ର ଯୋଜନା
ରିପୋର୍ଟ ଅନୁସାରେ, ଜେଲ୍ ଚାରିପାଖରେ ଖାଇ ନିର୍ମାଣ ପାଇଁ ଇସ୍ରାଏଲର ଜାତୀୟ ସୁରକ୍ଷା ମନ୍ତ୍ରଣାଳୟ ପ୍ରାୟ ୨୧ ମିଲିୟନ୍ ଶେକେଲ୍ ବଜେଟ୍ ରଖିଛି। ଏହି ଖାଇରେ ନାଇଲ୍ କୁମ୍ଭୀର ରଖିବା ଦ୍ୱାରା କଏଦୀଙ୍କ ଫେରାର ଉଦ୍ୟମକୁ ରୋକାଯାଇପାରିବ ବୋଲି ଯୋଜନାର ସମର୍ଥକମାନେ ଯୁକ୍ତି ଦେଇଛନ୍ତି।
କେତ୍ଜିଓଟ୍ ଜେଲ୍ ଚାରିପାଖରେ ଖାଇ ପାଇଁ ଖୋଳାଖୋଳି କାମ ମଧ୍ୟ ଆରମ୍ଭ ହୋଇଥିଲା। ଏହାର ପ୍ରସ୍ତାବିତ ଲମ୍ବ ପ୍ରାୟ ୧୭୦ ମିଟର।
ପଶୁ ଅଧିକାରକୁ ନେଇ ବିରୋଧ
‘ଲେଟ୍ ଦ ଆନିମଲ୍ସ ଲିଭ୍’ ନାମକ ପଶୁ ଅଧିକାର ସଂଗଠନ ଏହି ଯୋଜନା ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଛି। କୁମ୍ଭୀରମାନଙ୍କୁ ଏଭଳି ପରିବେଶରେ ରଖିବା ସେମାନଙ୍କ ପାଇଁ କ୍ଷତିକାରକ ହେବା ସହ ସାଧାରଣ ଲୋକ, ଜେଲ୍ କର୍ମଚାରୀ ଓ ପରିବେଶ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ ବୋଲି ସଂଗଠନ ଯୁକ୍ତି ଦେଇଛି।
ଇସ୍ରାଏଲର ନେଚର ଆଣ୍ଡ ପାର୍କସ୍ ଅଥରିଟି ମଧ୍ୟ ଏହି ଯୋଜନାକୁ ନେଇ ଆପତ୍ତି ଉଠାଇଛି। ଜେଲ୍ ସୁରକ୍ଷା ପାଇଁ କୁମ୍ଭୀର ବ୍ୟବହାର କରିବାର କୌଣସି ବୈଜ୍ଞାନିକ କିମ୍ବା ବୃତ୍ତିଗତ ଆଧାର ନାହିଁ ବୋଲି ସଂସ୍ଥା କହିଛି।
‘ଆଲିଗେଟର ଆଲକାଟ୍ରାଜ୍’ରୁ ପ୍ରେରଣା
ଏହି ଯୋଜନା ଆମେରିକାର ଫ୍ଲୋରିଡାର ‘ଆଲିଗେଟର ଆଲକାଟ୍ରାଜ୍’ ଧାରଣାରୁ ପ୍ରେରିତ ବୋଲି ରିପୋର୍ଟ ହୋଇଛି। ତେବେ ଦୁଇଟି ଯୋଜନା ମଧ୍ୟରେ ତଫାତ ରହିଛି—ଫ୍ଲୋରିଡାରେ ପ୍ରାକୃତିକ ଭାବେ ଥିବା ଜୀବଜନ୍ତୁକୁ ନିରୋଧକ ଭାବେ ଦେଖାଯାଇଥିଲା, ଯେଉଁଠାରେ ଇସ୍ରାଏଲର ଯୋଜନାରେ ଜେଲ୍ ଚାରିପାଖରେ କୁମ୍ଭୀର ରଖିବାର ପ୍ରସ୍ତାବ ରହିଛି।
ଏବେ କୋର୍ଟଙ୍କ ଅସ୍ଥାୟୀ ନିର୍ଦ୍ଦେଶ ଯୋଗୁଁ କୁମ୍ଭୀର ସ୍ଥାନାନ୍ତର ପ୍ରକ୍ରିୟା ଅଟକିଛି। ମାମଲାରେ ସରକାରଙ୍କ ପକ୍ଷ ଶୁଣିବା ପରେ ଏହି ଯୋଜନାର ଭବିଷ୍ୟତ ସ୍ପଷ୍ଟ ହେବ।




