ଟୋକିଓ: ଦକ୍ଷିଣ ଜାପାନର କାଗୋସିମା ଓ ଓକିନାୱା ଅଞ୍ଚଳରେ ବୁଧବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ମାପାଯାଇଥିବା ବେଳେ ଅନେକ ସ୍ଥାନରେ ଘର ଓ କୋଠା ଥରି ଉଠିଥିଲା। ଭୂମିକମ୍ପ ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ।

ଜାପାନ ପାଣିପାଗ ସଂସ୍ଥା (JMA) ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳ ଓକିନାୱାର ମୁଖ୍ୟ ଦ୍ୱୀପ ନିକଟସ୍ଥ ସମୁଦ୍ର ଅଞ୍ଚଳରେ ଥିଲା। ଏହାର ପ୍ରଭାବ କାଗୋସିମା ସହ ଆଖପାଖ ଉପକୂଳ ଅଞ୍ଚଳରେ ଅଧିକ ଅନୁଭୂତ ହୋଇଥିଲା। ତେବେ ଏହି ଭୂମିକମ୍ପ ପରେ ସୁନାମି ଆଶଙ୍କା ନଥିବା କଥା ଜାପାନୀୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ଏହାପୂର୍ବରୁ ବୁଧବାର ସକାଳେ ପୂର୍ବ ଚୀନ୍ ସାଗରରେ ମଧ୍ୟ ୬.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଦକ୍ଷିଣ ଜାପାନର ଦ୍ୱୀପପୁଞ୍ଜ ନିକଟରେ ଏହାର କେନ୍ଦ୍ରସ୍ଥଳ ଥିବାରୁ ସମୁଦ୍ରତଟ ଅଞ୍ଚଳରେ ଭୂକମ୍ପର ଝଟକା ଅଧିକ ଅନୁଭୂତ ହୋଇଥିଲା।

ଏହି ସମୟରେ ଭାରତ ମହାସାଗରରେ ମଧ୍ୟ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ୪.୪ ତୀବ୍ରତାର ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ମାନକ ସମୟ ଅନୁସାରେ ଏହି ଭୂମିକମ୍ପ ରେକର୍ଡ କରାଯାଇଥିଲା।

ସୋମବାର ଦକ୍ଷିଣ ଚୀନ୍‌ର ଗୁଆଙ୍ଗସି ଅଞ୍ଚଳରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଥିବାବେଳେ ସେଠାରେ ୨ ଜଣଙ୍କ ମୃତ୍ୟୁ ଓ ୪ ଜଣ ଆହତ ହୋଇଥିଲେ। ଅନେକ କୋଠା ଭୁଶୁଡ଼ି ପଡ଼ିଥିବା ସହ ଲିଉଝୋ ସହରରୁ ୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।