ୱାଶିଂଟନ୍: ଆମେରିକା ହ୍ୱାଇଟ୍ ହାଉସରେ ଆୟୋଜିତ ଏକ ରାଜକୀୟ ଭୋଜି (State Dinner) ସମୟରେ ବ୍ରିଟେନର ମହାରାଜା କିଙ୍ଗ ଚାର୍ଲ୍ସ III ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତଃ ଗମ୍ଭୀର ରହୁଥିବା ଏହି କାର୍ଯ୍ୟକ୍ରମରେ କିଙ୍ଗ ଚାର୍ଲ୍ସ ନିଜର ଚତୁରତା ଓ ହାସ୍ୟରସ ମାଧ୍ୟମରେ ଟ୍ରମ୍ପଙ୍କୁ ଥଟ୍ଟା କରିଥିଲେ।

କିଛି ଦିନ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ଯଦି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ସାହାଯ୍ୟ କରିନଥାନ୍ତା, ତେବେ ୟୁରୋପୀୟ ଦେଶଗୁଡ଼ିକ ଆଜି ‘ଜର୍ମାନ’ ଭାଷା କହୁଥାନ୍ତେ। ଏହାର ଜବାବରେ ଚାର୍ଲ୍ସ ମଜାଳିଆ ଢଙ୍ଗରେ କହିଥିଲେ, “ମିଷ୍ଟର ପ୍ରେସିଡେଣ୍ଟ, ଯଦି ବ୍ରିଟେନ ନଥାନ୍ତା, ତେବେ ହୁଏତ ଆପଣମାନେ ଆଜି ‘ଫରାସୀ’ (French) ଭାଷା କହୁଥାନ୍ତେ।” ଏହା ଶୁଣି ସେଠାରେ ଉପସ୍ଥିତ ଅତିଥିମାନେ ହସିଉଠିଥିଲେ।

ଟ୍ରମ୍ପ ହ୍ୱାଇଟ୍ ହାଉସର ଇଷ୍ଟ ୱିଙ୍ଗରେ କରୁଥିବା ୪୦୦ ମିଲିୟନ୍ ଡଲାରର ବଲରୁମ୍ ପ୍ରକଳ୍ପକୁ ନେଇ ମଧ୍ୟ ଚାର୍ଲ୍ସ ଥଟ୍ଟା କରିଥିଲେ। ସେ ମନେ ପକାଇ ଦେଇଥିଲେ ଯେ, ୧୮୧୪ ମସିହାରେ ବ୍ରିଟେନ ମଧ୍ୟ ହ୍ୱାଇଟ୍ ହାଉସର ଏକ ‘ରିଅଲ୍ ଇଷ୍ଟେଟ୍ ନବୀକରଣ’ କରିବାକୁ ଚେଷ୍ଟା କରିଥିଲା—ସେତେବେଳେ ବ୍ରିଟିଶ ସେନା ହ୍ୱାଇଟ୍ ହାଉସକୁ ପୋଡ଼ି ଦେଇଥିଲେ। ଏଥିସହିତ ସେ ଏହି ଭୋଜିକୁ ‘ବୋଷ୍ଟନ୍ ଟି ପାର୍ଟି’ ଠାରୁ ଢେର ଭଲ ବୋଲି କହିଥିଲେ।

ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାଲୋଚନା ପାଇଁ ଜଣାଶୁଣା ଟ୍ରମ୍ପ ମଧ୍ୟ ଚାର୍ଲ୍ସଙ୍କ ଭାଷଣକୁ ପ୍ରଶଂସା କରିଥିଲେ। ଟ୍ରମ୍ପ ମଜା କରି କହିଥିଲେ ଯେ, “ମହାରାଜା ଚାର୍ଲ୍ସ କଂଗ୍ରେସରେ ନିଜ ଭାଷଣ ଜରିଆରେ ଡେମୋକ୍ରାଟ୍ସମାନଙ୍କୁ ମଧ୍ୟ ଛିଡ଼ା କରିବାରେ ସଫଳ ହେଲେ, ଯାହା ମୁଁ କେବେ କରିପାରିନାହିଁ।”କାର୍ଯ୍ୟକ୍ରମ ଶେଷରେ କିଙ୍ଗ ଚାର୍ଲ୍ସ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୁଡ଼ାଜାହାଜ ‘HMS Trump’ ର ଘଣ୍ଟି (Bell) ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ସେ କହିଥିଲେ, “ଯେତେବେଳେ ବି ଦରକାର ପଡ଼ିବ, ଆମକୁ ରିଙ୍ଗ୍ କରିବେ।”ଏହି ସାନ୍ଧ୍ୟ ଭୋଜି ଆମେରିକା ଏବଂ ବ୍ରିଟେନ ମଧ୍ୟରେ ଥିବା ‘ସ୍ପେଶାଲ ରିଲେସନସିପ୍’ ବା ସ୍ୱତନ୍ତ୍ର ସମ୍ପର୍କକୁ ଏକ ନୂଆ ମୋଡ଼ ଦେଇଛି, ଯେଉଁଠି କୂଟନୀତି ସହ ହାସ୍ୟରସର ମଧ୍ୟ ଭରପୂର ପ୍ରୟୋଗ ହୋଇଥିଲା।