ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖା (LoC)ରେ ପାକିସ୍ତାନ ସେନା ଓ ଆତଙ୍କବାଦୀ ସଂଗଠନଗୁଡ଼ିକର କ୍ରମାଗତ ଅନୁପ୍ରବେଶ ଉଦ୍ୟମ ବିଫଳ ହେବା ପରେ ଏବେ ଡ୍ରୋନ୍ ଜରିଆରେ ବ୍ୟାପକ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ପଞ୍ଜାବ ସୀମାରେ ମାରାତ୍ମକ ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଛାଡ଼ିବା ପରେ ଏବେ ଜାମ୍ମୁ-କାଶ୍ମୀରର ସୀମାନ୍ତ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ୍ର ଗତିବିଧି ବୃଦ୍ଧି ପାଇଛି।
ଗତ କିଛି ସପ୍ତାହ ମଧ୍ୟରେ ଜାମ୍ମୁ-କାଶ୍ମୀରର ରାଜୌରୀ ଏବଂ ଆଗୁଆ ସୀମାନ୍ତ ଅଞ୍ଚଳରେ ଏକାଧିକ ପାକିସ୍ତାନୀ ଡ୍ରୋନ୍ ଠାବ କରାଯାଇଛି। ସୁରକ୍ଷା ବାହିନୀର ନଜର ପଡ଼ିବା ପରେ ସେଗୁଡ଼ିକ ଉପରକୁ ଗୁଳିଚାଳନା କରାଯିବାରୁ ସେଗୁଡ଼ିକ ପାକିସ୍ତାନ ଆଡ଼କୁ ଫେରିଯାଇଥିଲେ।
ଗୁପ୍ତଚର ସଂସ୍ଥା (IB) ଅଧିକାରୀଙ୍କ ଅନୁଯାୟୀ, ଗତ କିଛି ମାସ ହେବ ପାରମ୍ପରିକ ଅନୁପ୍ରବେଶ ମାର୍ଗଗୁଡ଼ିକ ଭାରତୀୟ ସେନାର କଡ଼ା ନଜରଦାରୀ ଯୋଗୁଁ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଅପରପକ୍ଷରେ ପାକିସ୍ତାନ ଅଧିକୃତ କାଶ୍ମୀର ରେ ବିଗତ ତିନି ମାସ ହେବ ପ୍ରବଳ ବିରୋଧ ପ୍ରଦର୍ଶନ ଚାଲିଥିବାରୁ ଆଇଏସ୍ଆଇ ର ଆତଙ୍କବାଦୀ ନେଟୱର୍କ ଦୁର୍ବଳ ହୋଇପଡ଼ିଛି।
ସୁରକ୍ଷା ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପାକିସ୍ତାନ ମୁଖ୍ୟତଃ ଦୁଇଟି ଉଦ୍ଦେଶ୍ୟ ରଖି ଏହି ଡ୍ରୋନ୍ଗୁଡ଼ିକୁ ପଠାଉଛି:
ତୁର୍କୀ ନିର୍ମିତ ‘ବେରାକ୍ତର ଟିବି୨’ ଏବଂ ମିଡିୟମ୍ ଆଲ୍ଟିଚ୍ୟୁଡ୍ ଲଙ୍ଗ୍ ଏଣ୍ଡୁରାନ୍ସ ଡ୍ରୋନ୍ ମାଧ୍ୟମରେ ସୀମାନ୍ତ ସୁରକ୍ଷା ବାହିନୀର ପୋଷ୍ଟ ଓ ସ୍ଥାନ ପରିବର୍ତ୍ତନର ରିଅଲ-ଟାଇମ୍ ତଥ୍ୟ ଆତଙ୍କବାଦୀ ଲଞ୍ଚପ୍ୟାଡ୍କୁ ପଠାଯାଉଛି। ସ୍ଥାନୀୟ ଆତଙ୍କୀ ନେଟୱର୍କକୁ ସକ୍ରିୟ କରିବା ପାଇଁ ସ୍ପେଶାଲ୍ ମ୍ୟାଗ୍ନେଟିକ୍ ଷ୍ଟିକି ବୋମା, ପିସ୍ତୋଲ, M4 କାର୍ବାଇନ୍ ଏବଂ ଗ୍ରେନେଡ୍ ଖସାଯାଉଛି।
ଲସ୍କର-ଏ-ତୋଇବା (LeT), ଜୈଶ-ଏ-ମହମ୍ମଦ (JeM) ଏବଂ ହିଜବୁଲ ମୁଜାହିଦ୍ଦିନ୍ ଭଳି ଆତଙ୍କୀ ସଂଗଠନଗୁଡ଼ିକର ଶୀର୍ଷ ନେତାମାନେ ISI ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ଚାପ ପକାଉଛନ୍ତି। ଗୋଟିଏ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଲଞ୍ଚପ୍ୟାଡ୍ରେ ଅପେକ୍ଷା କରି ରହିଥିବା ଆତଙ୍କବାଦୀମାନେ ଅନୁପ୍ରବେଶ କରିନପାରି ହତାଶ ହୋଇପଡ଼ିଛନ୍ତି।
ସୁରକ୍ଷା ଏଜେନ୍ସିଗୁଡ଼ିକର କହିବାନୁଯାୟୀ, ପଞ୍ଜାବରେ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ପାଇଁ ବ୍ୟବହୃତ ‘ପଞ୍ଜାବ ପ୍ଲେବୁକ୍’କୁ ଏବେ ଜାମ୍ମୁ-କାଶ୍ମୀରରେ କାର୍ଯ୍ୟକାରୀ କରିବାକୁ ISI ଚେଷ୍ଟା ଚଳାଇଛି। ତେବେ ଭାରତୀୟ ସେନା ଏହି ନୂତନ ଡ୍ରୋନ୍ ଚ୍ୟାଲେଞ୍ଜର ମୋଡ଼ତୋଡ଼ ଜବାବ ଦେବା ପାଇଁ ସୀମାରେ ଆଣ୍ଟି-ଡ୍ରୋନ୍ ସିଷ୍ଟମ ସହ କଡ଼ା ପ୍ରହରା ବୃଦ୍ଧି କରିଛି।




