ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ। ଆମେରିକାର ମହାକାଶ ସଂସ୍ଥା ନାସା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ନିଜର ‘ମୁନ୍ ବେସ୍ ପ୍ରୋଗ୍ରାମ’ରେ ସାମିଲ ହେବାକୁ ଆମନ୍ତ୍ରଣ କରିଛି। ଆର୍ଟେମିସ୍ ଆକର୍ଡସ ଅଧୀନରେ ଏହି ସହଯୋଗ ପାଇଁ ଭାରତକୁ ଆମନ୍ତ୍ରଣ କରାଯାଇଥିବା ନେଇ ମଙ୍ଗଳବାର ଆମେରିକା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।
ଏହା ସହ ବେସାମରିକ ମହାକାଶ ଅଭିଯାନ ସମ୍ପର୍କିତ ଖୋଲା ବୈଜ୍ଞାନିକ ତଥ୍ୟର ଆଦାନପ୍ରଦାନ ନେଇ ଆଲୋଚନାକୁ ଆଗକୁ ବଢ଼ାଇବାକୁ ଉଭୟ ଦେଶ ସହମତ ହୋଇଛନ୍ତି।
ଇସ୍ରୋ ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଅଗଷ୍ଟ ୫ ଓ ୬ ତାରିଖରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ୯ମ ଭାରତ-ଆମେରିକା ବେସାମରିକ ମହାକାଶ ଯୁଗ୍ମ କାର୍ଯ୍ୟକାରୀ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ଦେଶ ବେସାମରିକ ଓ ବାଣିଜ୍ୟିକ ମହାକାଶ ସହଯୋଗ, ଭବିଷ୍ୟତର ବୈଜ୍ଞାନିକ ଅଭିଯାନ ଏବଂ ମାନବ ମହାକାଶ ଯାତ୍ରା ସମ୍ପର୍କିତ ପ୍ରଯୁକ୍ତିରେ ସହଯୋଗ ନେଇ ବିସ୍ତୃତ ଆଲୋଚନା କରିଥିଲେ।
ଚନ୍ଦ୍ରରେ ମୁନ୍ ବେସ୍ ନିର୍ମାଣ ଲକ୍ଷ୍ୟ
ଚନ୍ଦ୍ରରେ ଦୀର୍ଘମିଆଦୀ ମାନବ ଉପସ୍ଥିତି ସ୍ଥାପନ ଏବଂ ଭବିଷ୍ୟତର ମଙ୍ଗଳ ଅଭିଯାନ ପାଇଁ ଭିତ୍ତି ପ୍ରସ୍ତୁତ କରିବା ନାସାର ଆର୍ଟେମିସ୍ କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ। ଚନ୍ଦ୍ରର ଦକ୍ଷିଣ ଧ୍ରୁବ ଅଞ୍ଚଳ ନିକଟରେ ମାନବ ଗତିବିଧି ଓ ଗବେଷଣା ପାଇଁ ଭିତ୍ତିଭୂମି ବିକଶିତ କରିବା ଯୋଜନାରେ ବିଭିନ୍ନ ଦେଶର ସହଯୋଗୀଙ୍କୁ ସାମିଲ କରାଯାଉଛି।
ଉଲ୍ଲେଖଯୋଗ୍ୟ, ଭାରତ ୨୦୨୩ ଜୁନ୍ ୨୧ରେ ଆର୍ଟେମିସ୍ ଆକର୍ଡସର ୨୭ତମ ସଦସ୍ୟ ଭାବେ ସ୍ୱାକ୍ଷର କରିଥିଲା। ଏହି ନୂଆ ସହଯୋଗ ଭାରତ-ଆମେରିକା ମହାକାଶ ଭାଗିଦାରିତାକୁ ଆହୁରି ମଜବୁତ କରିବା ସହ ଭବିଷ୍ୟତର ଚନ୍ଦ୍ର ଓ ମାନବ ମହାକାଶ ଅଭିଯାନରେ ଭାରତର ଭୂମିକା ବଢ଼ାଇବାର ଦ୍ୱାର ଖୋଲିପାରେ।




