କାଠମାଣ୍ଡୁ: ନେପାଳରେ ଲଗାତାର ବର୍ଷା ଯୋଗୁଁ ଦକ୍ଷିଣ ଚିତୱାନ୍ ଏବଂ ନୱଲପରାସୀ ଜିଲ୍ଲାରେ ନାରାୟଣୀ ନଦୀର ଜଳସ୍ତର ବିପଦସଙ୍କେତ ଅତିକ୍ରମ କରିଛି। ଏହାକୁ ନେଇ ନେପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ବନ୍ୟା ସୂଚନା ଏବଂ ଆଲର୍ଟ ଜାରି କରାଯାଇଛି। ଭାରତରେ ଗଣ୍ଡକ ନାମରେ ପରିଚିତ ଏହି ସୀମାନ୍ତ ନଦୀରେ ବନ୍ୟା ଆସିବା ଯୋଗୁଁ ଭାରତର ତଳିଆ ଅଞ୍ଚଳ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।

ନେପାଳର ଜଳବିଜ୍ଞାନ ଏବଂ ଜଳସମ୍ପଦ ଗବେଷଣା କେନ୍ଦ୍ର (CHWRR) ଅନୁଯାୟୀ, ନାରାୟଣୀ ନଦୀର ବିପଦସଙ୍କେତ ୯ ମିଟର ରହିଥିବା ବେଳେ ଜଳସ୍ତର ୧୧ ମିଟର ଅତିକ୍ରମ କରିସାରିଛି। ଚିତୱାନ୍‌ର ଦେବଘାଟ ଫ୍ଲଡ୍ ମନିଟରିଂ ଷ୍ଟେସନ୍‌ରେ ଜଳସ୍ତର ୧୩ ମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ଏବଂ ପରିଚାଳନା ପ୍ରାଧିକରଣ (NDRRMA) ନଦୀକୂଳିଆ ଅଞ୍ଚଳର ଅଧିବାସୀଙ୍କୁ ନିରାପଦ ଓ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛି। ନଦୀକୂଳ, ପୋଲ ଏବଂ ବନ୍ଧ ନିକଟକୁ ନ ଯିବା ପାଇଁ ଜନସାଧାରଣଙ୍କୁ ସାବଧାନ କରାଯାଇଛି।

ନାରାୟଣୀର ପ୍ରମୁଖ ଉପନଦୀ କାଳୀ ଗଣ୍ଡକୀ, ମାଦୀ, ସେତି, ଦରୌନ୍ଦୀ, ଚେପେ, ବୁଢ଼ୀ ଗଣ୍ଡକୀ ଏବଂ ତ୍ରିଶୂଳୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି:

ପର୍ବତ ଜିଲ୍ଲାର ଜଲଜଲା ଗ୍ରାମପାଳିକା-୮ର ଫାର୍ସେ ଅଞ୍ଚଳରେ କାଳୀ ଗଣ୍ଡକୀ ନଦୀର ବନ୍ୟା ଜଳରେ ୨୫ଟି ଘର ଭାସିଯାଇଛି। ତେବେ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାରୁ କୌଣସି ଜୀବନହାନି ଘଟିନାହିଁ।

ପାଲପା ଜିଲ୍ଲାର ଭାସ୍କଟ୍ଟାଠାରେ ଭୂସ୍ଖଳନ ଯୋଗୁଁ ଗୋଟିଏ ଘର ପୋତିହୋଇଯାଇଛି, ଯେଉଁଥିରେ ୩ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପୁଲିସ ଟିମ୍ ନିୟୋଜିତ ହୋଇଛି।

ନେପାଳରେ ସେପ୍ଟେମ୍ବର ୨୪ରୁ କ୍ରମାଗତ ବର୍ଷା ଜାରି ରହିଥିବାରୁ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି।