ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ନାରୋୱାଲ ଜିଲ୍ଲାରେ ଏକ ୧୨୫ ବର୍ଷର ପୁରୁଣା ଐତିହାସିକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ପାକିସ୍ତାନର ମାନବାଧିକାର କର୍ମୀ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ବିଭିନ୍ନ ରାଜନୈତିକ ସଂଗଠନ ଏକତ୍ରିତ ହୋଇ କଡ଼ା ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ ଏହି ଘଟଣାର ସ୍ୱଚ୍ଛ ତଦନ୍ତ ସହ ମନ୍ଦିରର ପୁନଃନିର୍ମାଣ ପାଇଁ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନାରୋୱାଲ ଜିଲ୍ଲାର ସିରାଜ ଗ୍ରାମରେ ଥିବା ଏହି ଐତିହାସିକ ମନ୍ଦିରକୁ ଗତ ଅଗଷ୍ଟ ୨୧ ତାରିଖରେ ଏକ ପାଖ ମଦ୍ରାସାର ସମ୍ପ୍ରସାରଣ ପାଇଁ ଭାଙ୍ଗି ଦିଆଯାଇଥିଲା। ପ୍ରାୟ ୧,୦୦୦ ବର୍ଗ ମିଟର ପରିମିତ ସ୍ଥାନରେ ଥିବା ଏହି ମନ୍ଦିରଟି ଦୀର୍ଘ ଦିନ ଧରି ଜବରଦଖଲର ଶିକାର ହୋଇଆସୁଥିଲା। ସମ୍ବାଦ ସଂସ୍ଥା ‘ପିଟିଆଇ’ ଅନୁଯାୟୀ, ନିଷିଦ୍ଧ ଚରମପନ୍ଥୀ ସଂଗଠନ ‘ତେହରିକ୍-ଇ-ଲାବୈକ୍ ପାକିସ୍ତାନ’ ର ସଦସ୍ୟମାନେ ଏହି ମନ୍ଦିରକୁ ଭାଙ୍ଗିବାରେ ସମ୍ପୃକ୍ତ ଥିଲେ।

ଅନ୍ୟପଟେ ପାକିସ୍ତାନ ସରକାର ଏବଂ ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ETPB)ର ବରିଷ୍ଠ ଅଧିକାରୀ ରାଣା ଇଫ୍ତିଖାର କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ମନ୍ଦିରଟି ପ୍ରାକୃତିକ ଭାବେ ଭାଙ୍ଗିପଡ଼ିଛି। ମାତ୍ର ପାକିସ୍ତାନ ମସିହା ମିଲ୍ଲତ ପାର୍ଟି (PMMP)ର ଅଧ୍ୟକ୍ଷ ଅସଲମ ପରଭେଜ୍ ସାହୋତ୍ରା ଅଭିଯୋଗ କରିଛନ୍ତି ଯେ ମନ୍ଦିର ଭଙ୍ଗାଯିବା ପରେ ସେଠାରୁ ଇଟା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନିଆଯାଇଛି। ସେ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ସରିଫଙ୍କ ସରକାରଙ୍କୁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ହିନ୍ଦୁ ନେତା ରତନ ଲାଲ କହିଛନ୍ତି ଯେ ମନ୍ଦିର ଜମିରେ ମଦ୍ରାସା ଚାଲୁଥିବାରୁ ସ୍ଥାନୀୟ କମିଟିର ସଦସ୍ୟମାନେ ସେହି ସ୍ଥାନକୁ ଯିବାକୁ ଭୟ କରୁଛନ୍ତି। ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଧାର୍ମିକ ସ୍ଥଳଗୁଡ଼ିକର ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି ବୋଲି ଆକ୍ଟିଭିଷ୍ଟମାନେ ଅଭିଯୋଗ କରିଛନ୍ତି।