ମୋସ୍କୋ: ରୁଷିଆ ରାଜଧାନୀ ମୋସ୍କୋ ଉପରେ ଗତ ଦୁଇ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ହୋଇଛି। ରାତିସାରା ପ୍ରାୟ ୬୨୦ଟି ୟୁକ୍ରେନୀୟ ଅଜ୍ଞାତ ବିମାନ (UAVs/ଡ୍ରୋନ୍) ମୋସ୍କୋ ଆଡ଼କୁ ଆସୁଥିବା ବେଳେ ରୁଷିଆର ଆକାଶ ପ୍ରତିରକ୍ଷା ବାହିନୀ ସେଗୁଡ଼ିକୁ ମାଡ଼ି ବସିଛି। ଏହି ଆକ୍ରମଣ ଯୋଗୁଁ ସହରସାରା ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ମୋସ୍କୋ ମେୟର ସର୍ଗେଇ ସୋବ୍ୟାନିନ୍ଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ୫ଟା ପୂର୍ବରୁ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ୍ ୧୮୦ଟି ଡ୍ରୋନ୍କୁ ଆକାଶରେ ହିଁ ଧ୍ୱଂସ କରିଦେଇଛି। ଡ୍ରୋନ୍ର ଭଗ୍ନାବଶେଷ ବିଭିନ୍ନ ସ୍ଥାନରେ ପଡ଼ିଥିଲେ ହେଁ କୌଣସି ବଡ଼ ଧରଣର କ୍ଷତି କିମ୍ବା ହତାହତ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ଏହି ଭୟଙ୍କର ଆକ୍ରମଣ ଯୋଗୁଁ ଭ୍ନୁକୋଭୋ, ଝୁକୋଭସ୍କି ଏବଂ ଡୋମୋଡେଡୋଭୋ ବିମାନବନ୍ଦରରେ ସାମୟିକ ଭାବେ ବିମାନ ଚଳାଚଳ ବନ୍ଦ ରଖାଯାଇଥିବା ବେଳେ ଶେରେମେତ୍ୟେଭୋ ବିମାନବନ୍ଦରରେ ଆଂଶିକ କଟକଣା ଲଗାଯାଇଥିଲା।
ଏହି ଆକ୍ରମଣ ପୂର୍ବରୁ ରବିବାର ରାତିରେ ମଧ୍ୟ ୬୦୦ଟି ଡ୍ରୋନ୍ ମୋସ୍କୋ ଆଡ଼କୁ ମାଡ଼ି ଆସିଥିଲା। ଅଗଷ୍ଟ ୧୨ ତାରିଖରେ ନୋଭୋରୋସିସ୍କ ଉପରେ ହୋଇଥିବା ଆକ୍ରମଣରେ ସ୍କୁଲ ଓ ପାନୀୟ ଜଳ ଯୋଗାଣ ପାଇପ୍ କ୍ଷତିଗ୍ରସ୍ତ ହୋଇଥିଲା, ଯାହା ପରେ ମେୟର ଆନ୍ଦ୍ରେଇ କ୍ରାଭଚେଙ୍କୋ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହାସହ ବେଲଗୋରୋଡ୍, ଲୁହାନ୍ସ୍କ ଏବଂ କ୍ରାଇମିଆରେ ହୋଇଥିବା ଆକ୍ରମଣରେ ଜଣେ ଶିଶୁ ସମେତ ଅତିକମ୍ରେ ୪ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ ନୋଭୋରୋସିସ୍କ ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା ରୁଷିଆର ନୌସେନା ଘାଟି, ଏୟାର ଡିଫେନ୍ସ ପୋଜିସନ୍, ଜାହାଜ ବନ୍ଧାଘାଟ (ପିଅର୍ସ) ଏବଂ ସାମୁଦ୍ରିକ ବନ୍ଦରର ଭିତ୍ତିଭୂମିକୁ ପଙ୍ଗୁ କରିବା।




