ୱାଶିଂଟନ୍: ଫ୍ଲୋରିଡାରେ ରହୁଥିବା ଜଣେ ୬୨ ବର୍ଷୀୟ ରୁଷୀୟ ନାଗରିକ ଆଲେକ୍ସଜାଣ୍ଡାର୍ ମାମୋନୋଭ୍ ଙ୍କୁ ଆମେରିକା ଆଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆମେରିକାରୁ ରୁଷ୍‌ ଏବଂ ତା’ର ସରକାରୀ ବିମାନ ସେବା ସଂସ୍ଥା ‘ଏରୋଫ୍ଲୋଟ୍’ କୁ ବେଆଇନ ଭାବେ ୯ ଲକ୍ଷ ଡଲାରରୁ ଅଧିକ (ପ୍ରାୟ ୭.୫ କୋଟି ଟଙ୍କାରୁ ଅଧିକ) ମୂଲ୍ୟର ବିମାନ ଯନ୍ତ୍ରାଂଶ ରପ୍ତାନି କରିବା ଅଭିଯୋଗରେ ସେ ଦୋଷୀ ପ୍ରମାଣିତ ହୋଇଛନ୍ତି।

ଦକ୍ଷିଣ ଫ୍ଲୋରିଡା ଆମେରିକା ଜିଲ୍ଲା ଆଦାଲତର ଏକ ଫେଡେରାଲ୍ ଜୁରୀ ମାମୋନୋଭ୍‌ଙ୍କ ବିରୋଧରେ ଆସିଥିବା ସମସ୍ତ ୧୨ଟି ଜାଲିଆତି ଓ ବେଆଇନ କାର୍ଯ୍ୟାନୁଷ୍ଠାନ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କ ବିରୋଧରେ ରପ୍ତାନି ନିୟନ୍ତ୍ରଣ ସଂଶୋଧନ ଆଇନ ଉଲ୍ଲଂଘନ, ବେଆଇନ ଚୋରା ଚାଲାଣ, ମନି ଲଣ୍ଡରିଂ (ଅର୍ଥ ହେରଫେର) ଏବଂ ଜାଲ୍ ତଥ୍ୟ ଦାଖଲ କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି।

ୟୁଏସ୍ ଜିଲ୍ଲା ଜଜ୍ କାଥଲିନ୍ ୱିଲିୟମ୍ସ ଆସନ୍ତା ନଭେମ୍ବର ୨୦ ତାରିଖରେ ମାମୋନୋଭ୍‌ଙ୍କ ସଜା ଘୋଷଣା କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ତେବେ ନ୍ୟାୟ ବିଭାଗ ପକ୍ଷରୁ ତାଙ୍କୁ ସର୍ବାଧିକ କେତେ ବର୍ଷର ଜେଲ୍‌ ଦଣ୍ଡ ମିଳିପାରେ, ସେ ନେଇ ସ୍ପଷ୍ଟ କରାଯାଇ ନାହି।

ମାମୋନୋଭ୍ ପୂର୍ବରୁ ଏରୋଫ୍ଲୋଟ୍‌ର କର୍ମଚାରୀ ଥିଲେ ଏବଂ ପରବର୍ତ୍ତୀ ସମୟରେ ରୁଷ୍‌ରୁ ଆସି ଦକ୍ଷିଣ ଫ୍ଲୋରିଡାରେ ରହୁଥିଲେ। ସେ ଇଗ୍ନାଟ୍ ଭାକୋରିନ୍ ନାମକ ଅନ୍ୟ ଜଣେ ରୁଷୀୟ ନାଗରିକଙ୍କ ସହ ମିଶି ଆମେରିକାର ସରବରାହକାରୀଙ୍କଠାରୁ ବିମାନ ଯନ୍ତ୍ରାଂଶ କିଣି ରୁଷ୍‌କୁ ପଠାଉଥିଲେ। ଭାକୋରିନ୍ ବର୍ତ୍ତମାନ ଫେରାର୍ ଅଛନ୍ତି।

୨୦୨୨ ଫେବୃଆରୀରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ରୁଷ୍ ଉପରେ କଠୋର ରପ୍ତାନି କଟକଣା ଲଗାଇଥିଲା। ଆମେରିକୀୟ କମ୍ପାନୀଗୁଡ଼ିକୁ ନୋଟିସ୍ ଦେଇ ରୁଷ୍ ସପ୍ଲାଏ ବନ୍ଦ କରାଯାଇଥିଲା। ମାତ୍ର ମାମୋନୋଭ୍ ଓ ଭାକୋରିନ୍ ଆମେରିକୀୟ କମ୍ପାନୀଗୁଡ଼ିକୁ ମିଛ କହି ଚୀନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (କୁ ଏହି ଜିନିଷଗୁଡ଼ିକ ଯାଉଛି ବୋଲି ଦର୍ଶାଇ ରୁଷ୍‌କୁ ଯନ୍ତ୍ରାଂଶ ଚାଲାଣ କରୁଥିଲେ।

ଏଫ୍‌ବିଆଇ ର ସହାୟକ ନିର୍ଦ୍ଦେଶକ ରୋମାନ୍ ରୋଜାଭସ୍କି କହିଛନ୍ତି ଯେ, ଏହି ରାୟ ସେହିମାନଙ୍କ ପାଇଁ ଏକ ଚେତାବନୀ, ଯେଉଁମାନେ ଆମେରିକାର ପ୍ରଯୁକ୍ତିବିଦ୍ୟାକୁ ବେଆଇନ ଭାବେ ଶତ୍ରୁ ଦେଶକୁ ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଛନ୍ତି।

ସେହିପରି ଆମେରିକୀୟ ଆଟର୍ଣ୍ଣି ଜେସନ୍ ରେଡିଂ କିନୋନେସ୍ କହିଛନ୍ତି, “ତୃତୀୟ ଦେଶ ମାଧ୍ୟମରେ ଆମେରିକାର କଟକଣାକୁ ଏଡ଼ାଇବା ପାଇଁ ରୁଷ୍‌ର ଉଦ୍ୟମକୁ ଆମେ ଆଦୌ ସଫଳ ହେବାକୁ ଦେବୁ ନାହିଁ। ସିପିଂ ଲେବୁଲ୍‌ରେ ମିଛ ଗନ୍ତବ୍ୟ ସ୍ଥଳ ଲେଖି ଆମେରିକାର ଆଇନରୁ କେହି ଖସିପାରିବେ ନାହିଁ।”