ଶ୍ରୀଲଙ୍କା: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଅଣ୍ଡର-୧୯ (୧୯ ବର୍ଷରୁ କମ୍) ଦଳର ଦୁଇଜଣ ଯୁବ ଖେଳାଳିଙ୍କୁ ମହିଳାଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ ଅଭିଯୋଗରେ ପୋଲିସ ଗିରଫ କରିଛି।
କଲମ୍ବୋର ନାରାହେନପିଟା ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ହୋଟେଲ ବାଥରୁମରେ ମହିଳାଙ୍କ ଗାଧୋଇବା ସମୟର ଦୃଶ୍ୟକୁ ମୋବାଇଲ୍ ଫୋନ୍ ମାଧ୍ୟମରେ ଗୁପ୍ତରେ ରେକର୍ଡ କରିଥିବା ଘଟଣା ସାମ୍ନାକୁ ଆସିଛି। ହୋଟେଲରେ ଆୟୋଜିତ ଏକ ଡାକ୍ତରୀ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ମହିଳା ଡାକ୍ତରମାନେ ଏହି ଅଭିଯୋଗ କରିଛନ୍ତି।
ପୋଲିସ ଏହି ମାମଲାରେ ତୁରନ୍ତ ପଦକ୍ଷେପ ନେଇ ଦୁଇ ଯୁବ କ୍ରିକେଟରଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଏହାସହ ପ୍ରତ୍ୟେକଙ୍କୁ 5ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଜମା କରିବା ପାଇଁ କୁହାଯାଇଛି। ମୋବାଇଲ ଡିଜିଟାଲ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ମେ 25, 2026 ରେ ହେବ।
ଏହି ଘଟଣାକୁ ନେଇ ଶ୍ରୀଲଙ୍କା କ୍ରିକେଟ୍ ଜଗତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା କ୍ରିକେଟ୍ (SLC) ପକ୍ଷରୁ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରାଯାଇ ନାହିଁ। ଜଣେ ଉଦୀୟମାନ ଖେଳାଳିଙ୍କ ପକ୍ଷରୁ ଏଭଳି ଅଭଦ୍ରାମି ଦେଶର କ୍ରିକେଟ୍ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି।
ପୋଲିସ ବର୍ତ୍ତମାନ ସେହି ସମୟର ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରୁଛି, ଯାହାଦ୍ୱାରା ଜଣାପଡ଼ିବ ଯେ ଏହି କାର୍ଯ୍ୟରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ।




