ମିଳିତ ଜାତିସଂଘ: ସିରିଆରେ ବର୍ଷ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧ ଓ ସଂଘର୍ଷ ପରେ ଏବେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି ବିସ୍ଫୋରକ ସାମଗ୍ରୀ ଓ ଲ୍ୟାଣ୍ଡମାଇନ୍। ଦେଶରେ ପୋତି ହୋଇ ରହିଥିବା ବିସ୍ଫୋରକ ଅବଶିଷ୍ଟାଂଶ ନାଗରିକଙ୍କ ଜୀବନ ପାଇଁ ଘାତକ ସାବ୍ୟସ୍ତ ହେଉଥିବା ନେଇ ମିଳିତ ଜାତିସଂଘର ମାନବୀୟ ସହାୟତା ସଂସ୍ଥା ଚେତାବନୀ ଦେଇଛି।
ମିଳିତ ଜାତିସଂଘର ମାନବୀୟ ବ୍ୟାପାର ସମନ୍ୱୟ କାର୍ଯ୍ୟାଳୟ ଅନୁଯାୟୀ, ଏହି ବିସ୍ଫୋରକ ପ୍ରଦୂଷଣ କେବଳ ଲୋକଙ୍କ ରହିବା ସ୍ଥାନକୁ ପ୍ରଭାବିତ କରୁନାହିଁ, ବରଂ ସେମାନଙ୍କ ଗମନାଗମନ, ଜୀବିକା ଏବଂ ପରିବାର ପ୍ରତିପୋଷଣରେ ବଡ଼ ବାଧା ସୃଷ୍ଟି କରିଛି।
ବିଗତ ଗୋଟିଏ ସପ୍ତାହ ମଧ୍ୟରେ ସିରିଆର ୬ଟି ପ୍ରଦେଶରେ ୧୨ଟି ବିସ୍ଫୋରକ ସମ୍ବନ୍ଧୀୟ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଛନ୍ତି।
ଦେଇର ଏଜ୍-ଜୋର ପ୍ରଦେଶରେ ଏକ ବେସାମରିକ ଗାଡ଼ି ଲ୍ୟାଣ୍ଡମାଇନ୍ ସଂସ୍ପର୍ଶରେ ଆସିବାରୁ ୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସେହିପରି ରକ୍କା ପ୍ରଦେଶରେ ସବୁଠାରୁ ଅଧିକ ବିସ୍ଫୋରଣ ରେକର୍ଡ କରାଯାଇଛି। ଅନ୍ୟପଟେ ଇଦଲିବ୍ ପ୍ରଦେଶର ବିନ୍ନିଶ ସହରରେ ଗୋଟିଏ ଗାଡ଼ିରେ ବିସ୍ଫୋରକ ସାମଗ୍ରୀ ଫାଟିବା ଫଳରେ ୨ ଜଣଙ୍କ ଜୀବନ ଯାଇଛି।
OCHAର ରିପୋର୍ଟ ଅନୁଯାୟୀ, ୨୦୨୪ ଡିସେମ୍ବର ୮ ତାରିଖ ପରଠାରୁ ସିରିଆରେ ୧,୪୦୦ରୁ ଅଧିକ ବିସ୍ଫୋରକ ଦୁର୍ଘଟଣା ନଜରକୁ ଆସିଛି। ଏହିସବୁ ଘଟଣାରେ ପ୍ରାୟ ୨,୫୦୦ ନାଗରିକ ହତାହତ ହୋଇଛନ୍ତି, ଯେଉଁଥିରେ ୮୮୦ ଜଣଙ୍କ ମୃତ୍ୟୁ ଘଟିସାରିଛି।
ଦୁଃଖର ବିଷୟ ହେଉଛି, ଏହି ଦୁର୍ଘଟଣାଗୁଡ଼ିକ ମଧ୍ୟରୁ ଦୁଇ-ତୃତୀୟାଂଶରୁ ଅଧିକ କୃଷିଜମି ଏବଂ ଗୋଚର ଜମିରେ ଘଟୁଛି। ଫଳରେ ଚାଷୀ, ଗୋପାଳକ ଏବଂ ଗ୍ରାମବାସୀମାନେ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି।
ଏହି ବିପଦରୁ ନାଗରିକଙ୍କୁ ରକ୍ଷା କରିବା ପାଇଁ ଜରୁରୀକାଳୀନ ଭିତ୍ତିରେ ବ୍ୟାପକ ସଫେଇ ଅଭିଯାନ ଚଳାଇବାକୁ ଜାତିସଂଘ ଦାବି କରିଛି। ଏହାସହ ସ୍ଥାନୀୟ ଲୋକଙ୍କୁ ବିସ୍ଫୋରକ ସାମଗ୍ରୀ ସମ୍ପର୍କରେ ସଚେତନ କରିବା ଏବଂ ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା ଯୋଗାଇଦେବା ଜରୁରୀ ବୋଲି ସଂସ୍ଥା ପ୍ରକାଶ କରିଛି।




