ରୁଷ: ମସ୍କୋ ଅଞ୍ଚଳରେ ୟୁକ୍ରେନ ପକ୍ଷରୁ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହି ଭୟାବହ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୬୧ ଜଣ ଆହତ ହୋଇଛନ୍ତି। ମସ୍କୋର ଆଞ୍ଚଳିକ ଗଭର୍ଣ୍ଣର ଆନ୍ଦ୍ରେଇ ଭୋରୋବିଓଭ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।

ଗଭର୍ଣ୍ଣର ଭୋରୋବିଓଭଙ୍କ ସୂଚନା ଅନୁସାରେ, ମସ୍କୋଠାରୁ ପ୍ରାୟ ୬୦ କିଲୋମିଟର ପୂର୍ବରେ ଅବସ୍ଥିତ ଇଲେକ୍ଟ୍ରୋଷ୍ଟାଲ ସହର ଏହି ଆକ୍ରମଣରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। କେବଳ ଏହି ସହରରେ ୫୭ ଜଣ ଆହତ ହୋଇଥିବା ବେଳେ ନୋଗିନସ୍କ ଅଞ୍ଚଳରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଇଲେକ୍ଟ୍ରୋଷ୍ଟାଲର ଏକ ଗୋଦାମ ଗୃହ ପରିସରରେ ଏକ ଡ୍ରୋନ୍ କ୍ରାଶ୍ ହେବା ଯୋଗୁଁ ପ୍ରଥମେ ୨୪ ଜଣ ଆହତ ହୋଇଥିବା ଜଣାପଡ଼ିଥିଲା, ମାତ୍ର ପରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା।

ଆହତଙ୍କ ମଧ୍ୟରୁ ୨୦ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ୯ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଅନ୍ୟ ୩୧ ଜଣ ମଧ୍ୟମ ଧରଣର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୀଡ଼ିତମାନଙ୍କ ଶରୀରରେ ବୋମା ବିସ୍ଫୋରଣର ସ୍ପ୍ଲିଣ୍ଟର ବା ଧାତବ ଖଣ୍ଡ ବାଜିବା ସହ ମୁଣ୍ଡରେ ଆଘାତ, ହାଡ଼ ଭାଙ୍ଗିବା, ପୋଡ଼ିଯିବା ଏବଂ ଗ୍ୟାସ ଯୋଗୁଁ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଛି। ସମସ୍ତଙ୍କୁ ଡାକ୍ତରୀ ସେବା ଯୋଗାଇ ଦିଆଯାଉଛି।

ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କ ଏୟାର ଡିଫେନ୍ସ ସିଷ୍ଟମ ୟୁକ୍ରେନର ପ୍ରାୟ ୭୭୪ଟି ଡ୍ରୋନ୍ ଏବଂ ୧୩ଟି ଗାଇଡେଡ୍ ଆଭିଏସନ ବୋମାକୁ ଗୁଳି କରି ଖସାଇ ଦେଇଛି। ଏହାର ଜବାବରେ ରୁଷ ସେନା ମଧ୍ୟ ୟୁକ୍ରେନର ଓଡେସା ବନ୍ଦରର ତେଲ ଡିପୋ, ଚୋର୍ଣ୍ଣୋମୋର୍ସ ବନ୍ଦରରେ ଅସ୍ତ୍ରଶସ୍ତ୍ର ଖଲାସ କରୁଥିବା ଏକ କଣ୍ଟେନର ଜାହାଜ ଏବଂ ବ୍ଲାକ୍ ସି (କଳା ସାଗର)ରେ ସାମରିକ ସରଞ୍ଜାମ ନେଇ ଯାଉଥିବା ଏକ କାର୍ଗୋ ଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଛି।