ୱାଶିଂଟନ୍: ଆମେରିକାରେ ନାଗରିକତା ଗ୍ରହଣ କରିବାରେ ଦ୍ୱିତୀୟ ସବୁଠାରୁ ବଡ଼ ଗୋଷ୍ଠୀ ହେଉଛନ୍ତି ଭାରତୀୟ ଗ୍ରୀନ୍ କାର୍ଡ ଧାରକ। ତେବେ ବର୍ତ୍ତମାନ ସେମାନଙ୍କ ଆମେରିକୀୟ ନାଗରିକତା ମଞ୍ଜୁରୀ ପ୍ରକ୍ରିୟା ଧୀମେଇ ଯାଇଛି। ଆମେରିକା ନାଗରିକତା ଏବଂ ଆବ୍ରାଜନ ସେବାର ସରକାରୀ ତଥ୍ୟ ଅନୁଯାୟୀ, ଅଗଷ୍ଟ ମାସ ସୁଦ୍ଧା ଅପେକ୍ଷାରେ ଥିବା ପେଣ୍ଡିଂ ଆବେଦନ ସଂଖ୍ୟା ୮,୧୩,୦୦୦ ରୁ ଅଧିକ ହୋଇଛି।
USCIS ର ମାସିକ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ମାସରେ ମାତ୍ର ୧୫,୩୪୯ଟି ନାଗରିକତା ଆବେଦନ (Form N-400) ମଞ୍ଜୁର ହୋଇଛି। ଏହା ପୂର୍ବରୁ ଜୁନ୍ରେ ୧୮,୪୩୯ ଏବଂ ଜୁଲାଇରେ ୧୬,୫୧୪ଟି ଆବେଦନ ସ୍ୱୀକୃତ ହୋଇଥିଲା।
ସେହିପରି ଅପେକ୍ଷାରେ ଥିବା ଆବେଦନ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି:
- ଜୁନ୍: ୭,୪୪,୪୧୨
- ଜୁଲାଇ: ୭,୭୮,୪୮୯
- ଅଗଷ୍ଟ: ୮,୧୩,୪୫୩
ଅଗଷ୍ଟ ସୁଦ୍ଧା ପେଣ୍ଡିଂ ଥିବା ମୋଟ ଆବେଦନଗୁଡ଼ିକ ମଧ୍ୟରୁ ୫,୧୩,୪୬୨ଟି ଆବେଦନ ୬ ମାସରୁ ଅଧିକ ସମୟ ଧରି ଅଟକି ରହିଛି। ବର୍ତ୍ତମାନ ପ୍ରୋସେସିଂ ପାଇଁ ହାରାହାରି ୧୨.୭ ମାସ ସମୟ ଲାଗୁଛି। ଅଗଷ୍ଟ ମାସରେ ୫୪,୪୯୨ଟି ନୂଆ ଆବେଦନ ଆସିଥିବା ବେଳେ ତାହା ମଞ୍ଜୁର ହୋଇଥିବା ଆବେଦନ ତୁଳନାରେ ତିନି ଗୁଣରୁ ଅଧିକ।
ଆମେରିକା ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୪ରେ ଆମେରିକୀୟ ନାଗରିକତା ପାଇଥିବା ସମୁଦାୟ ଲୋକଙ୍କ ମଧ୍ୟରୁ ପ୍ରାୟ ୪୯,୭୦୦ ଜଣ (୬.୧ ପ୍ରତିଶତ) ଭାରତୀୟ ଥିଲେ, ଯାହା ଭାରତକୁ ଦ୍ୱିତୀୟ ବୃହତ୍ତମ ଦେଶ ଭାବେ ଚିହ୍ନଟ କରିଥିଲା।
ଇଣ୍ଡୋ-ଆମେରିକାନ୍ କଂଗ୍ରେସମହିଳା ପ୍ରମିଳା ଜୟପାଲ ଏହି ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସରକାରୀ ପ୍ରଶାସନ ଗ୍ରୀନ୍ କାର୍ଡ ଧାରକମାନଙ୍କୁ ନାଗରିକତା ମିଳିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି।
ଆମେରିକାରେ ସାଧାରଣତଃ ୫ ବର୍ଷ ଗ୍ରୀନ୍ କାର୍ଡ ରହିବା ପରେ (କିମ୍ବା ଆମେରିକୀୟ ନାଗରିକଙ୍କୁ ବିବାହ କରିଥିଲେ ୩ ବର୍ଷ ପରେ) ସିଟିଜନସିପ୍ ପାଇଁ ଆବେଦନ କରାଯାଏ। ବର୍ଷ ବର୍ଷ ଧରି ଗ୍ରୀନ୍ କାର୍ଡ ପାଇଁ ଅପେକ୍ଷା କରିଥିବା ଭାରତୀୟ ପେସାଦାରଙ୍କ ପାଇଁ ନାଗରିକତା ହେଉଛି ଶେଷ ପଦକ୍ଷେପ, ଯାହା ଭୋଟ୍ ଦେବାର ଅଧିକାର ଓ ପରିବାର ପ୍ରାୟୋଜନ କୁ ସୁନିଶ୍ଚିତ କରିଥାଏ। ତେବେ ଏହି ବିଳମ୍ବ ହେତୁ ଚଳିତ ବର୍ଷ ଆବେଦନ କରିଥିବା ଅନେକ ଭାରତୀୟ ଆଗାମୀ ନିର୍ବାଚନରେ ଭୋଟ୍ ଦେବାରୁ ବଞ୍ଚିତ ହେବେ।




