ୱାଶିଂଟନ୍: ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (DHS)ର ଏକ ସୋସିଆଲ୍ ମିଡିଆ ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି। ଅବୈଧ ପ୍ରବାସୀ ଓ ବାଣିଜ୍ୟିକ ଟ୍ରକ୍ ଚାଳକଙ୍କ ବିରୋଧରେ ଟ୍ରମ୍ପ ପ୍ରଶାସନର କଠୋର ଅଭିଯାନର ଅଂଶ ଭାବେ DHS ପକ୍ଷରୁ ଜାରି ଏହି ବିଜ୍ଞାପନରେ ‘Mr Singh’ ନାମ ବ୍ୟବହାର କରାଯାଇଛି। ଏହାକୁ ଭାରତୀୟ-ଆମେରିକୀୟ ଓ ଶିଖ୍ ସଂଗଠନଗୁଡ଼ିକ ଜାତିଗତ ଭେଦଭାବ ଓ ପ୍ରୋଫାଇଲିଂ ବୋଲି ଅଭିଯୋଗ କରିଛନ୍ତି।
‘ସେଲ୍ଫ-ଡିପୋର୍ଟ’ ପାଇଁ ଚେତାବନୀ
DHSର ଅଧିକାରିକ X ଆକାଉଣ୍ଟରେ ସେପ୍ଟେମ୍ବର ୯ରେ ଏହି AI-ନିର୍ମିତ ଗ୍ରାଫିକ୍ ପୋଷ୍ଟ କରାଯାଇଥିଲା। ‘Transformers: Age of Deportations’ ଶୈଳୀରେ ତିଆରି ପୋଷ୍ଟରରେ ଦାଢ଼ି ଓ ପଗଡ଼ି ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ସମ୍ମୁଖରେ DHS ଚିହ୍ନ ଲାଗିଥିବା ଏକ ଟ୍ରାନ୍ସଫର୍ମର୍କୁ ଦେଖାଯାଇଛି।
ପୋଷ୍ଟରରେ ‘Self-deport or find out’ ସହ ‘Get off our roads, you don’t know how to drive, Mr Singh’ ବାର୍ତ୍ତା ଦିଆଯାଇଛି। ଆମେରିକାର ରାସ୍ତାରେ ‘ଅବୈଧ ପ୍ରବାସୀ’ଙ୍କ ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ଲୋକଙ୍କୁ ଆହ୍ୱାନ କରାଯାଇଛି।
‘Singh’ ନାମ ବ୍ୟବହାରକୁ ନେଇ ଆପତ୍ତି
ବିଜ୍ଞାପନରେ ‘Singh’ ନାମକୁ ଟ୍ରକ୍ ଚାଳନା ସମ୍ପର୍କିତ ଅଭିଯୋଗ ସହ ଯୋଡ଼ାଯିବାକୁ ନେଇ ଶିଖ୍ ଓ ଭାରତୀୟ-ଆମେରିକୀୟ ସଂଗଠନଗୁଡ଼ିକ ଆପତ୍ତି ଉଠାଇଛନ୍ତି। ହିନ୍ଦୁ ଆମେରିକାନ୍ ଫାଉଣ୍ଡେସନ୍ ଏହାକୁ ‘ରେସିଷ୍ଟ’ ଓ ‘ଆଣ୍ଟି-ଇଣ୍ଡିଆନ୍ ପ୍ରୋଫାଇଲିଂ’ ବୋଲି ସମାଲୋଚନା କରିଛି।
ସେହିପରି ଶିଖ୍ କୋଆଲିସନ୍ କହିଛି ଯେ ଆମେରିକାରେ ଲକ୍ଷ ଲକ୍ଷ ଶିଖ୍ଙ୍କ ଉପନାମ ‘Singh’। ତେଣୁ ଏକ ସମ୍ପ୍ରଦାୟର ସାଧାରଣ ଉପନାମକୁ ଅବୈଧ ପ୍ରବାସନ ଓ ଅସୁରକ୍ଷିତ ଡ୍ରାଇଭିଂ ସହ ଯୋଡ଼ିବା ନେଇ ସଂଗଠନ ଆପତ୍ତି ଜଣାଇଛି।
ଟ୍ରକ୍ ଚାଳକଙ୍କ ବିରୋଧରେ କଠୋର ଅଭିଯାନ
ଆମେରିକାରେ ଅବୈଧ ପ୍ରବାସୀ ଓ ନିୟମ ଉଲ୍ଲଂଘନକାରୀ ବାଣିଜ୍ୟିକ ଚାଳକଙ୍କ ବିରୋଧରେ DHSର କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ସମ୍ପ୍ରତି କିଛି ଗୁରୁତର ସଡ଼କ ଦୁର୍ଘଟଣାରେ ଭାରତୀୟ ମୂଳର ଟ୍ରକ୍ ଚାଳକଙ୍କ ନାମ ଆସିବା ପରେ ବାଣିଜ୍ୟିକ ଡ୍ରାଇଭରଙ୍କ ଲାଇସେନ୍ସ ଓ ଇମିଗ୍ରେସନ୍ ସ୍ଥିତିକୁ ନେଇ ଯାଞ୍ଚ ବଢ଼ାଯାଇଛି। ତେବେ ଆଲୋଚକଙ୍କ ଅଭିଯୋଗ ହେଉଛି, ନିର୍ଦ୍ଦିଷ୍ଟ ଘଟଣାର ଦାୟୀ ବ୍ୟକ୍ତିଙ୍କ ବଦଳରେ ଏକ ସମ୍ପ୍ରଦାୟର ପରିଚିତ ଉପନାମକୁ ଟାର୍ଗେଟ୍ କରିବା ଉଚିତ ନୁହେଁ।
ଏହି ବିବାଦ ମଧ୍ୟରେ DHSର ‘CBP Home’ କାର୍ଯ୍ୟକ୍ରମ ଅନୁସାରେ ଯୋଗ୍ୟ ଅବୈଧ ପ୍ରବାସୀଙ୍କୁ ସ୍ୱେଚ୍ଛାରେ ଆମେରିକା ଛାଡ଼ିବା ପାଇଁ ଯାତ୍ରା ସହାୟତା ସହ ୨,୬୦୦ ଡଲାର ପର୍ଯ୍ୟନ୍ତ ଏକ୍ଜିଟ୍ ବୋନସ୍ ଦିଆଯାଉଥିବା DHS କହିଛି।




